ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ LPG ସିଲିଣ୍ଡର ଏବଂ ବିମାନ ଇନ୍ଧନ ବା ATF ଦରରେ ବଡ଼ ଧରଣର ବୃଦ୍ଧି ଘୋଷଣା କରିଛନ୍ତି। ଦେଶର ବିଭିନ୍ନ ସହରରେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କାରୁ ନେଇ ୭୧.୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ରାଜଧାନୀ ଦିଲ୍ଲୀରେ ଏହି ସିଲିଣ୍ଡର ପିଛା ୬୨.୫୦ ଟଙ୍କା ବୃଦ୍ଧି ପାଇବା ପରେ ଏହାର ନୂଆ ଦର ୨,୮୧୦ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ଏହି ସିଲିଣ୍ଡର ଦାମ ୯.୫୦ ଟଙ୍କା ବଢ଼ି ୨,୭୪୭.୫୦ ଟଙ୍କା ରହିଥିଲା। ପାର୍ବଣ ଋତୁ ପୂର୍ବରୁ ଗ୍ୟାସ ଦର ବୃଦ୍ଧି ଯୋଗୁ ହୋଟେଲ, ରେଷ୍ଟୁରାଣ୍ଟ, ଢାବା, କ୍ୟାଣ୍ଟିନ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ଖର୍ଚ୍ଚ ବଢ଼ିଯିବ, ଯାହାର ସିଧାସଳଖ ପ୍ରଭାବ ଆଗାମୀ ଦିନରେ ଗ୍ରାହକଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି।

ତେବେ ସାଧାରଣ ଗ୍ରାହକଙ୍କ ପାଇଁ ଆଶ୍ୱାସନାର ବିଷୟ ହେଉଛି ଯେ, ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ LPG ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଘରୋଇ ଗ୍ୟାସ ସିଲିଣ୍ଡର ପୁରୁଣା ଦରରେ ହିଁ ମିଳିବ, ଯେପରିକି ଦିଲ୍ଲୀରେ ୯୪୨ ଟଙ୍କା, ମୁମ୍ବାଇରେ ୯୪୧.୫୦ ଟଙ୍କା, ଚେନ୍ନାଇରେ ୯୫୭.୫୦ ଟଙ୍କା, ଲକ୍ଷ୍ନୌରେ ୯୭୯.୫୦ ଟଙ୍କା ଏବଂ ପାଟଣାରେ ୧,୦୩୧.୫୦ ଟଙ୍କା ରହିଛି। ଅନ୍ୟପଟେ, ପାର୍ବଣ ସମୟରେ ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ଖରାପ ଖବର ଆସିଛି। କ୍ରମାଗତ ତୃତୀୟ ମାସ ପାଇଁ ବିମାନ ଇନ୍ଧନ (ATF) ଦର ୧୩.୨୨ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ATF ଲିଟର ପିଛା ପ୍ରାୟ ୧୫.୭୨ ଟଙ୍କା ମହଙ୍ଗା ହୋଇ ପୂର୍ବର ୧୨୧.୨୮ ଟଙ୍କାରୁ ବଢ଼ି ଏବେ ପ୍ରାୟ ୧୩୭ ଟଙ୍କାରେ ପହଞ୍ଚିଛି। ଗ୍ୟାସ ଓ ବିମାନ ଇନ୍ଧନର ଏହି ଦର ବୃଦ୍ଧି ଯୋଗୁ ଆଗାମୀ ତ୍ୟୋହାର ସମୟରେ ଲୋକଙ୍କ ବଜେଟ ଉପରେ ଚାପ ପଡ଼ିବା ନିଶ୍ଚିତ।

Dharitri – Odisha’s No.1 Odia Daily

Share