କରୋନାରୁ ସୁସ୍ଥ ହେବା ପରେ ବି ପୁଣି ହୋଇପାରେ ସଂକ୍ରମଣ: ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଚିନ୍ତା ବଢ଼ାଇଛି ମହାମାରୀ କରୋନା। ଓଡ଼ିଶାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ଲୋକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଡାକ୍ତର ପ୍ରଜ୍ଞାନ ରାଉତରାୟ ସୂଚନା ଦେଇ କହିଛନ୍ତି, ଯାହା ଦେହରେ ରୋଗ ପ୍ରତିରୋଧ ଶକ୍ତି ବେଶି ଥିବ, ଲକ୍ଷଣ ପ୍ରକାଶ ପାଇବନାହିଁ। ରୋଗ ପ୍ରତିରୋଧକ ଶକ୍ତି ବେଶି ଥିଲେ, କରୋନା ଲକ୍ଷଣ ଦେଖାଯିବନି। ଯାହାର ଅନ୍ୟ ରୋଗ ଥିବ, ସେମାନଙ୍କଠାରେ ଲକ୍ଷଣ ଦେଖାଯିବ। ରୋଗାକ୍ରାନ୍ତ ଓ ସ୍ବାସ୍ଥ୍ୟକର୍ମୀଙ୍କ ସାମାନ୍ୟ ଲକ୍ଷଣ ଦେଖାଗଲେ ଟେଷ୍ଟ ଜରୁରୀ। ଅନ୍ୟମାନଙ୍କର ଯଦି ସାମାନ୍ୟ ଲକ୍ଷଣ ଥିବ, କ୍ୱାରାଣ୍ଟାଇନ୍‌ରେ ରହି ଚିକିତ୍ସା କରିହେବ ବୋଲି ସେ କହିଛନ୍ତି।

ଏହାଛଡ଼ା ହୋମ ଆଇସୋଲେଶନରେ ରହୁଥିବା ଆକ୍ରାନ୍ତ ମାସ୍କ ପିନ୍ଧିବା ଜରୁରୀ। ନିଜ ଲୁଗାପଟା, ବାସନ ନିୟମିତ ସାବୁନ ପାଣିରେ ଧୋଇବା ଦରକାର। ନଚେତ ନିଜ ପାଖରେ ଥିବା ଭାଇରସ ପରିବାରଲୋକଙ୍କୁ ବ୍ୟାପିବ। ଯାହାର ରୋଗପ୍ରତିରୋଧକ ଶକ୍ତି ନ ଥିବ, ତାକୁ ଆଉଥରେ ସଂକ୍ରମଣ ହୋଇପାରେ। ଆଉ ଥରେ ସଂକ୍ରମଣ ନ ହେବା ପାଇଁ ନିଜକୁ ଅତ୍ୟନ୍ତ ସତର୍କ ହେବା ଜରୁରୀ। କରୋନାରୁ ସୁସ୍ଥ ହେଉଥିବା ଲୋକ ଅତ୍ୟନ୍ତ ଦୁର୍ବଳ ହୋଇଯାଉଛନ୍ତି। ତେଣୁ ପୁଣି ଥରେ ଅନ୍ୟ କିଛି ଭାଇରାଲ ରୋଗ ଆକ୍ରାନ୍ତ ହେବା ସମ୍ଭାବନା ରହିଛି। ଭିଟାମିନ ଯୁକ୍ତ ଖାଦ୍ୟ ଖାଇ ନିଜ ଶରୀରକୁ ସୁସ୍ଥ ରଖିବା ଉଚିତ ବୋଲି ପ୍ରଜ୍ଞାନ କହିଛନ୍ତି।