ମହାରାଷ୍ଟ୍ର, କେରଳରେ ବଢ଼ୁଛି ସଂକ୍ରମଣ

ମୁମ୍ବାଇ/ନୂଆଦିଲ୍ଲୀ, ୧୩।୭: ମହାରାଷ୍ଟ୍ର ଏବଂ କେରଳରେ କରୋନା ଭୂତାଣୁର ‘ଆର୍‌’ ଫ୍ୟାକ୍ଟର (ସଂକ୍ରମଣ ହାର) ବଢ଼ୁଥିବାରୁ ଏହାର ଚିନ୍ତାର କାରଣ ହୋଇଛି। ଏହା ଉକ୍ତ ରାଜ୍ୟରେ ସଂକ୍ରମଣର ଆଉ ଏକ ଲହର ଆଣିବା ଆଶଙ୍କା କରାଯାଉଛି। ଆର୍‌ ଫ୍ୟାକ୍ଟର ହେଉଛି ଭୂତାଣୁ ସଂକ୍ରମଣକୁ ଚିହ୍ନଟ ଓ ନିୟନ୍ତ୍ରଣ କରିବା ପାଇଁ ବ୍ୟବହୃତ ଏକ ପରିସଂଖ୍ୟାନ। ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ କେତେଜଣ ସଂକ୍ରମିତ ହେଉଛନ୍ତି, ତାହା ଆର୍‌ ଫ୍ୟାକ୍ଟରରେ ମପାଯାଇଥାଏ। ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ପ୍ରାୟ ୪.୫ ଲକ୍ଷ ରହିଛି, ଯାହାକି ମାର୍ଚ୍ଚଠାରୁ ଇତିମଧ୍ୟରେ ସର୍ବନିମ୍ନ। ମହାରାଷ୍ଟ୍ରରେ ରବିବାର ୮,୫୩୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ମାମଲା ସଂଖ୍ୟା ୧.୧୯ ଲକ୍ଷରେ ପହଞ୍ଚତ୍ଛି। ମେ’ ମଧ୍ୟଭାଗରେ ଏହାର ଆର୍‌ ଫ୍ୟାକ୍ଟର ୦.୭୯ ଥିଲାବେଳେ ମାସ ଶେଷ ବେଳକୁ ୦.୮୪ ଏବଂ ଜୁନ୍‌ ଶେଷ ସୁଦଦ୍ଧା ୦.୮୯ରେ ପହଞ୍ଚତ୍ଥିଲା। ଏବେ ଆର୍‌ ଫ୍ୟାକ୍ଟର ୧ ନିକଟବର୍ତ୍ତୀ ହୋଇଛି। ସେହିପରି କେରଳରେ ୧.୧୫ ଲକ୍ଷ ସକ୍ରିୟ ମାମଲା ରହିଥିବାବେଳେ ଆର୍‌ ଫ୍ୟାକ୍ଟର ୧.୦ ଅତିକ୍ରମ କରିଛି। ସେହିପରି ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ଆର୍‌ ଫ୍ୟାକ୍ଟର ଚିନ୍ତାଜନକ ରହିଛି। ମହାରାଷ୍ଟ୍ରରେ ଇତିମଧ୍ୟରେ କଟକଣା ପୁଣି ବଢ଼ାଗଲାଣି। ସଂକ୍ରମଣ ବଢ଼ୁଥିବା ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିମ୍‌ ପଠାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାଓ୍ବାର ସୋମବାର କହିଛନ୍ତି। ଉକ୍ତ ରାଜ୍ୟଗୁଡ଼ିକର ସ୍ଥିତି ଉପରେ କେନ୍ଦ୍ର ସରକାର ନଜର ରଖିଥିବା ସେ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୩୭,୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ୭୨୪ ଜଣଙ୍କ ଜୀବନ ଯାଇଥିବା ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୮,୭୪,୩୭୬ରେ ପହଞ୍ଚତ୍ଥିବା ବେଳେ ମୃତ୍ୟୁ ସଂଖ୍ୟା ୪,୦୮,୭୬୪କୁ ବୃଦ୍ଧି ପାଇଛି। ମୋଟ ୩,୦୦,୧୪,୭୧୩ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଦୈନିକ ପଜିଟିଭ୍‌ ହାର ୨.୫୯% ରହିଛି।

Share