ସଂକ୍ରମିତ ଗର୍ଭବତୀ ହୋମ୍‌ ଆଇସୋଲେଶନରେ ରହିପାରିବେ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ସଂକ୍ରମିତ ଗର୍ଭବତୀ ହୋମ୍‌ ଆଇସୋଲେଶନରେ ରହିପାରିବେ। କିନ୍ତୁ ସେ ପରିବାରର ଅନ୍ୟ କାହା ସହିତ ମିଶିବେ ନାହିଁ ବୋଲି ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ଲୁସି ଦାସ କହିଛନ୍ତି। ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଲେ,  ଜଣେ ଗର୍ଭବତୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ  ପରିବାରର ଅନ୍ୟ ସଦସ୍ୟମାନେ ସତର୍କତା ଅବଲମ୍ବନ କରିବା ଉଚିତ। ତାଙ୍କର ପୂର୍ବରୁ ଶିଶୁଟିଏ ଥିଲେ ମା’ ଓ ଶିଶୁ ମଧ୍ୟରେ ଦୂରତା ରକ୍ଷା କରାଯିବା ଉଚିତ। ଶିଶୁକୁ ପରିବାରର ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ଯତ୍ନ ନେବେ। ଗର୍ଭବତୀ ଜଣକ ନିଜର ଯତ୍ନ ନେବେ ଓ ସ୍ବଚ୍ଛ ରହିବା ସହିତ ଭିଟାମିନଯୁକ୍ତ ଖାଦ୍ୟ ଖାଇବେ।

କରୋନା ଓ ସାଧାରଣ ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି। ତେଣୁ ଗର୍ଭବତୀମାନେ ଭୟ ନ କରି ସରକାରୀ ହସ୍ପିଟାଲ ଯାଇପାରିବେ। ସେହିପରି ଗର୍ଭବତୀ ହେବାର ପ୍ରଥମ ୩ ମାସ ଓ ଶେଷ ୩ ମାସରେ ମା’ମାନଙ୍କର ଅନେକ ସମସ୍ୟା ହୋଇଥାଏ। ଏହି ସମୟରେ ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍‌ ହସ୍ପିଟାଲ ସହିତ ପରାମର୍ଶ କରାଯିବା ଦରକାର। କୋଭିଡ୍‌ ପଜିଟିଭ ମା’ ସତର୍କତା ଅବଲମ୍ବନ କରି ନିଜ ଶିଶୁଙ୍କୁ କ୍ଷୀର ଖୁଆଇପାରିବେ। ଛୁଆଟି କେବଳ ମା’ଠାରୁ କ୍ଷୀର ଖାଇବା ସମୟରେ ରହିବେ ଓ ପରିବାର ସଦସ୍ୟ ସମସ୍ତ ଯତ୍ନ ନେବେ। କିନ୍ତୁ ଶିଶୁକୁ ମାସ୍କ ପିନ୍ଧାଇ ପାରିବା ନାହିଁ। କାରଣ ଭବିଷ୍ୟତରେ ଅସୁବିଧା ହୋଇପାରେ ବୋଲି ଡା. ଦାସ କହିଛନ୍ତି।

ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ପ୍ରଫେସର ଡା. ସାରଦା ପ୍ରସନ୍ନ ସ୍ବାଇଁ କହିଲେ, କରୋନା ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ଥିବା ସମୟରେ ଯୋଗ ଓ ପ୍ରାଣାୟାମ କଲେ ଭଲ। ଏହାଦ୍ୱାରା ରୋଗୀ କରୋନାକୁ ଭୁଲି ପାରିବେ। ହୋମ୍‌ ଆଇସୋଲେଶନରେ ଥିବାବେଳେ ମାନସିକ ରୋଗୀଙ୍କ ରୋଗ ଆହୁରି ବଢ଼ିଯିବାର ଆଶଙ୍କା ରହିଛି। ତେଣୁ ସତର୍କତା ଅମ୍ବଲମ୍ବନ କରିବା ସହ  ଡାକ୍ତରଙ୍କ ପରାମର୍ଶ କରି ରୋଗର ମାତ୍ରା କମାଇବାକୁ ପଡ଼ିବ। ମାନସିକ ରୋଗୀ ମଧ୍ୟ ଯୋଗ ଓ ପ୍ରାଣାୟାମ କରିପାରିବେ। କିନ୍ତୁ ଯଦି ସ୍ଥିତି ବିଗିଡ଼ିଯାଏ, ତେବେ ହସ୍ପିଟାଲ ସହ ପରାମର୍ଶ କଲେ ଭଲ। ଯେକୌଣସି ମାନସିକ ରୋଗ ସମ୍ପର୍କରେ କଟକ ଏସ୍‌ସିବିକୁ ଫୋନ କରି ପରାମର୍ଶ ନିଆଯାଇପାରିବ। ଏସ୍‌ସିବିର ମାନସିକ ରୋଗ ପ୍ରତିଷ୍ଠାନକୁ ୧୮୦୦୩୪୫୭୨୮୮କୁ ଫୋନ କଲେ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେବେ। ପୂର୍ବାହ୍ନ ୧୦ରୁ ଅପରାହ୍ନରେ ୫ଟା ମଧ୍ୟରେ ଫୋନ କଲେ ବିଶେଷଜ୍ଞମାନେ ପରାମର୍ଶ ଦେବେ ବୋଲି ଡା. ସ୍ବାଇଁ ସୂଚନା ଦେଇଛନ୍ତି।