ଶିଳ୍ପ ପ୍ରଦୂଷଣ ଅନିୟନ୍ତ୍ରିତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନ ସହ ସମତାଳ ଦେଇ ପରିବେଶ ପ୍ରଦୂଷଣ ମଧ୍ୟ ବଢ଼ିଚାଲିଛି। ଶିଳ୍ପ ପ୍ରଦୂଷଣ ସାଙ୍ଗକୁ ସହରାଞ୍ଚଳ ପ୍ରଦୂଷଣ ଅଣନିଃଶ୍ୱାସୀ କଲାଣି। ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଭଳି ଅନେକ ବଡ଼ ସହର ବାୟୁ ପ୍ରଦୂଷଣରେ ଘାଣ୍ଟି ହେଉଛିି। ଓଡ଼ିଶାର ଶିଳ୍ପାଞ୍ଚଳଗୁଡ଼ିକରେ ମଧ୍ୟ ଗତ କିଛିବର୍ଷ ହେବ ପ୍ରଦୂଷଣର ମାତ୍ରା ଭୟଙ୍କର ଭାବେ ବଢ଼ିଚାଲିଛି। ବାୟୁ ପ୍ରଦୂଷଣ ଯୋଗୁ ଶ୍ୱାସଜନିତ ରୋଗ, ଚର୍ମ କର୍କଟ, ଚକ୍ଷୁରୋଗ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଶିଳ୍ପାନୁଷ୍ଠାନରୁ ବାହାରୁଥିବା ବର୍ଜ୍ୟବସ୍ତୁ, ଜଳ ଓ ଧୂଆଁ ପରିବେଶକୁ ବିଷମୟ କରିଦେଉଛି। ପ୍ରଦୂଷଣ ନିୟନ୍ତ୍ରଣ କରିବା ଲାଗି ଅତିପ୍ରଦୂଷଣକାରୀ ଶିଳ୍ପଗୁଡ଼ିକ ଗୁରୁତ୍ୱ ଦେଉନାହାନ୍ତି। ଏହାର ଜଗୁଆଳି ଥିବା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ମଧ୍ୟ ଫେଲ୍‌ ମାରିଛି। କେବଳ କାଗଜକଲମରେ ପ୍ରଦୂଷଣ ନିୟନ୍ତ୍ରଣ ସୀମିତ ହୋଇଯାଉଛି। ସରକାରୀ କଳର ଏଭଳି ଖାମଖିଆଲ ମନୋଭାବ ପରିବେଶକୁ ବିପଦ ମୁହଁକୁ ଠେଲିଦେଉଛି।
ରାଜ୍ୟରେ ବିଭିନ୍ନ ଶ୍ରେଣୀର ପ୍ରାୟ ୪ ହଜାର ଶିଳ୍ପ ରହିଛି। ସେଥିରୁ ୬୦୯ଟି ଅତିପ୍ରଦୂଷିତ ଅର୍ଥାତ ରେଡ୍‌ ବା ଲାଲ ଶ୍ରେଣୀରେ ରଖାଯାଇଛି। ସେହିପରି ୧୬୫୨ଟି କମଳା ଓ ୧୧୪୭ଟି ସବୁଜ କାଟେଗୋରି ମଧ୍ୟରେ ରହିଛି। ରାଜ୍ୟରେ ଇସ୍ପାତ, ବିଦ୍ୟୁତ୍‌ ଶକ୍ତି, ସାର, ସିମେଣ୍ଟ, ଆଲୁମିନିୟମ, ସ୍ପଞ୍ଜ ଓ ଆଇରନ ଭଳି ୧୭ ପ୍ରକାର ଶିଳ୍ପାନୁଷ୍ଠାନକୁ ଅତିପ୍ରଦୂଷଣ ଶ୍ରେଣୀରେ ରଖାଯାଇଛି। ସେହି ଶିଳ୍ପଗୁଡ଼ିକ ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରୁଛି। ୨୦୧୪ରୁ ଅନ୍‌ଲାଇନ ମନିଟରିଂ ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ମାତ୍ର ୫୪ ଶିଳ୍ପକୁ ଏଥିରେ ସଂଯୋଗ କରାଯାଇପାରିଛି। ବହୁମାତ୍ରାରେ ବାୟୁମଣ୍ଡଳ ପ୍ରଦୂଷଣ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୨ରେ ଅନ୍‌ଲାଇନ