ଲଗାଣ ବର୍ଷାରେ ଫୁଲୁଛି ଇନ୍ଦ୍ରାବତୀ, ଭାସ୍କେଲ

କୋଡ଼ିଙ୍ଗା/କୋଷାଗୁମୁଡା, ୯।୮(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ ୩ଦିନ ଧରି ଲଗାଣ ବର୍ଷା ଫଳରେ ଇନ୍ଦ୍ରାବତୀ, ଭାସ୍କେଲନଦୀ ଓ ଶାଖା ନଦୀ ଫୁଲି ଉଠୁଛି। ପ୍ରଭାବିତ ହେଉଛି ଲୋକଙ୍କ ଜୀବନଯାତ୍ରା। ଉଭୟ ନଦୀ ଅବବାହିକରେ ଥିବା କୋଷାଗୁମୁଡା ବ୍ଲକର ଉକିଆପାଲି, ଚିର୍ମା, ସାନଆମ୍ବଡା, କୋକଡ଼ି ସେମଳା, ବିଞ୍ଜଲି ପଞ୍ଚାୟତର ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଗାଁରେ ଦେଖାଦେଇଛି ବନ୍ୟା ଆଶଙ୍କା। ସୋମବାର ସନ୍ଧ୍ୟା ସୁଦ୍ଧା ଭାସ୍କେଲ ନଦୀରେ ଜଳସ୍ତର ପ୍ରାୟ ବିପଦସଙ୍କେତଠାରୁ ମାତ୍ର ୧ଫୁଟ ତଳକୁ ରହିଛି। କ୍ରମାଗତ ଭାବେ ଯଦି ରାତିରେ ବର୍ଷା ହୁଏ ତେବେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।
ନଦୀକୂଳକୁ ଲାଗି ରହିଥିବା ବି.ଏମ୍‌.ସେମଳା ପଞ୍ଚାୟତର କେରାଣ୍ଡିମାଳ, ଉକିଆପାଲି ପଞ୍ଚାୟତର ବରଗାଁ, ହର୍ଦ୍ଦୋଳି, ଘାଟବାସଲିଠାରେ ନଦୀର ଜଳସ୍ତର ନଦୀ ମୁହାଣକୁ ଲାଗିରହିଛି। ସେହିପରି କର୍ଚ୍ଚାମାଳ-ମିଚିଆ, ଚିର୍ମା-ଅସଙ୍ଗା, କେରାଣ୍ଡିମାଳ-ରୁନିଗୁଡା ସଂଯୋଗ କରୁଥିବା ରାସ୍ତା ଉପରେ ବର୍ଷାପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଚିର୍ମା ପଞ୍ଚାୟତର ଖଣ୍ଡିଗୁଡ଼ା, ଭାଟାଗୁଡ଼ା, ଦୁଗୁଲାହାଣ୍ଡି, ଜାଗନୀଗୁଡା, କେ.ସେମଳା ପଞ୍ଚାୟତର କଣ୍ଟାସରୁଗୁଡା, ଘାଟୁଆଳିଗୁଡା,ବିଞ୍ଜଲି ପଞ୍ଚାୟତର ଘାଟକସମୀ, ଘାଟଚୁରା, ଆଲପଦର, ଦାଡିଆଗୁଡା, ଉକିଆପଲ୍ଲୀ ପଞ୍ଚାୟତର ଘାଟବାସଲି, ହର୍ଦ୍ଦୋଳି ଗାଁରେ ଭିତରେ ବର୍ଷାଜଳ ନିଷ୍କାସନ ହୋଇପାରି ନ ଥିବାବେଳେ ଲୋକେ ଜଳବନ୍ଦୀ ଅଛନ୍ତି। ଟେମାରା ପଞ୍ଚାୟତର ଚୁରାହାଣ୍ଡି ଗାଁର ଜଳବନ୍ଦୀ ଥିବା ୩୦ ଲୋକଙ୍କୁ ଅଣାଯାଇ ଶୁଖିଲା ଖାଦ୍ୟ ଦିଆଯାଇଛି। ଲଗାଣ ବର୍ଷାରେ ବେହାଲ ହୋଇଛି କୋଷାଗୁମୁଡା ବ୍ଲକ। ରବିବାର ବ୍ଲକରେ ମୋଟ ୧୪୫ମି.ମି. ବର୍ଷା ରେକର୍ଡ କରାଯାଇଛି। ୫୨ଟି ଘର ଆଂଶିକ ଭାଙ୍ଗିଯାଇଥିବା ବେଳେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ପଲିଥିନ୍‌ ଯୋଗାଇ ଦିଆଯାଇଛି। ବ୍ଲକର ୨୬ ପଞ୍ଚାୟତର ବହୁଗାଁରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିନାହିଁ। ସେହିଭଳି ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ବର୍ଷାପାଣି ପଶି ରହିଛି। ପ୍ରଶାସନ ପକ୍ଷରୁ ସମସ୍ତ ନଦୀକୂଳିଆ ଗାଁଗୁଡିକୁ ଆଲର୍ଟ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଅନୁଧ୍ୟାନ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ତହସିଲଦାର ଶିବପ୍ରସାଦ ପଟ୍ଟନାୟକଙ୍କୁ ପଚାରିବାରୁ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ବନ୍ୟା ହେଲେ ଲୋକମାନଙ୍କୁ ନିକଟସ୍ଥ ସ୍କୁଲକୁ ଅଣାଯିବା ଯୋଜନା କରାଯାଇଛି ବୋଲି ସେ କହିଛନ୍ତି।