ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ ଭାଙ୍ଗିଲା: ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ

କୋକସରା,୩୧ା୭(ଡି.ଏନ୍‌.ଏ.): ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଦ୍ରାବତୀରୁ ପ୍ରଥମଥର ପାଇଁ ମେଗା ଲିଫ୍ଟ କେନାଲ କାର୍ଯ୍ୟକ୍ଷମ ହୋଇ ଜୟପାଟଣା କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷଜମିକୁ ଜଳସେଚନ ପାଇଁ ପାଣି ଛଡ଼ା ଯାଇଥିଲା। ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ। ଫଳରେ ହେକ୍ଟର ହେକ୍ଟର ଚାଷଜମି ଏବେ ଜଳମଗ୍ନ ହୋଇଛି। କୋକସରା ବ୍ଲକର ମାଝୀଗୁଡ଼ା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଓଭର ଫ୍ଲୋ ପାଣି କେନାଲ ଦେଇ ପ୍ରବାହିତ ହେବା ଓ ନିମ୍ନମାନର କାମ ହୋଇଥିବା ଯୋଗୁ କେନାଲ ବନ୍ଧ ଭାଙ୍ଗିଯାଇଛି। ପ୍ରାୟ ୧୦ ଫୁଟ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ହେକ୍ଟର ହେକ୍ଟର ଜମିରେ ଚାଷୀଙ୍କ ରୁଆ ଓ ବୁଣା ଧାନରେ ପାଣି ମାଡ଼ି ଯିବାରୁ ମାଝୀଗୁଡା ଓ କୋକସରା ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।

ମାଝୀଗୁଡା ଓ କୋକସରା ପଞ୍ଚାୟତର ଚାଷୀମାନେ କେନାଲ ବନ୍ଧ ଭାଙ୍ଗିବା ପାଇଁ ଠିକାସଂସ୍ଥାର ନିମ୍ନମାନର କାମ ଓ ଅବହେଳାକୁ ଦାୟୀ କରିବା ସହ ସେମାନଙ୍କ ନଷ୍ଟ ହୋଇଥିବା ଚାଷର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ମେଗା ଲିଫ୍ଟ କେନାଲର ନିର୍ବାହୀଯନ୍ତ୍ରୀଙ୍କ ସମେତ ଠିକାସଂସ୍ଥା ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମରାମତି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖବର ପାଇ ଧର୍ମଗଡ଼ ଉପଜିଲାପାଳ, କୋକସରା ତହସିଲଦାର, ରାଜସ୍ବ ନିରୀକ୍ଷକ ପହଞ୍ଚି ଚାଷୀଙ୍କ ସହ ଆଲୋଚନା ସହ କ୍ଷତିପୂରଣ ପାଇଁ ଆକଳନ କରୁଥିବା ଦେଖିବାକୁ ମିଳିଛି।