ଇଣ୍ଡୋନେସିଆ ବିମାନ ଦୁର୍ଘଟଣା

ଜାକର୍ତ୍ତା, ୧୦।୧: ଇଣ୍ଡୋନେସିଆର ଶ୍ରୀଓ୍ବିଜୟ ଏୟାର ପାସେଞ୍ଜର ଜେଟ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିଛି। ବିମାନର ଭଗ୍ନାବଶେଷ ମିଳିବା ପରେ ନୌସେନା ଜାହାଜ ସେଠାକୁ ପଠାଯାଇଛି। ୬୨ ଲୋକଙ୍କୁ ନେଇ ଯାଉଥିବା ଫ୍ଲାଇଟ୍‌ ଏସ୍‌ଜେ ୧୮୨ ବିମାନବନ୍ଦରଠାରୁ ୨୦ କିଲୋମିଟର ଦୂର ଲାକି ଦ୍ୱୀପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇଣ୍ଡୋନେସିଆ ପରିବହନ ମନ୍ତ୍ରୀ ବୁଡ଼ି କାର୍ୟ୍ୟା ଖବରଦାତା ସମ୍ମିଳନୀରେ କହିଛନ୍ତିି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ବସର୍‌ନାସ୍‌ ନାମକ ସଂସ୍ଥା ସେଠାକୁ ଟିମ୍‌ ପଠାଇଛି।
ବୋଇଂ ୭୩୭-୫୦୦ ବିମାନଟି ରାଜଧାନୀ ଜାକର୍ତ୍ତାରୁ ପୋଣ୍ଟିଆନକ୍‌ ଯାଉଥିଲା। ସେଥିରେ ୫୬ ଯାତ୍ରୀଙ୍କ ସମେତ ୬୨ ଜଣ ଥିଲେ। ଅପରାହ୍ନ ୨ଟା ୩୦ରେ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିବାର ୪ ମିନିଟ୍‌ ପରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଜାଭା ଦ୍ୱୀପ ଓ କଲିମଣ୍ଟନ (ବୋର୍ନିଓ ଦ୍ୱୀପର ଇଣ୍ଡୋନେସିଆ ଅଂଶ) ମଧ୍ୟରେ ଥିବା ଜାଭା ସାଗର ଉପରେ ଉଡ଼ୁଥିବାବେଳେ ବିମାନଟି ସିଧା ତଳକୁ ଖସିଥିବାର ଫ୍ଲାଇଟ୍‌ ଟ୍ରାକିଂ ତଥ୍ୟରୁ ଜଣାପଡିଛି। ଫ୍ଲାଇଟ୍‌ରାଡାର୨୪ ଡାଟା ଅନୁଯାୟୀ ଉକ୍ତ ବିମାନ ୧୧,୦୦୦ ଫୁଟ ଉପରକୁ ଉଠିବା ପରେ ହଠାତ୍‌ ୨୫୦ ଫୁଟ ତଳକୁ ଖସିଥିଲା। ଏହାପରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଉଦ୍ଧାରକାରୀ ଦଳ ଜାକର୍ତ୍ତାର ଉତ୍ତର ପାର୍ଶ୍ୱ ସମୁଦ୍ରରେ କେତେକ ଭଗ୍ନାବଶେଷ ଠାବ କରିଛନ୍ତି। ଇଣ୍ଡୋନେସିଆର ଉଦ୍ଧାରକାରୀ ସଂସ୍ଥା ଓ ଜାତୀୟ ପରିବହନ ନିରାପତ୍ତା କମିଶନ ଦୁର୍ଘଟଣାର ତଦନ୍ତ କରୁଛନ୍ତି।
୨୦୧୮ ଅକ୍ଟୋବରରେ ଲାଏନ୍‌ ଏୟାରର ଏକ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜାଭା ସମୁଦ୍ରରେ ଖସିପଡ଼ିଥିଲା। ଏଥିରେ ଥିବା ସମସ୍ତ ୧୮୯ ଜଣ ପ୍ରାଣ ହରାଇଥିଲେ।

Share