ଇଣ୍ଡୋନେସିଆରେ ଆଗ୍ନେୟଗିରି ଉଦ୍‌ଗିରଣ ନେଲା ୧୪ ଜୀବନ

ଜାକର୍ତ୍ତା,୫ା୧୨: ଇଣ୍ଡୋନେସିଆର ଜନବହୁଳ ଜାଭା ଦ୍ୱୀପରେ ଥିବା ସବୁଠାରୁ ଉଚ୍ଚତମ ପର୍ବତ ସେମେରୁରେ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ ହୋଇଛି। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ଆକାଶରେ ବିରାଟକାୟ ବେଲୁନ୍‌ ଆକାରର ଧୂଆଁ ଏବଂ ଉତ୍ତପ୍ତ ବାଦଲ ଛାଇ ହୋଇଯାଇଥିଲା। ଆଗ୍ନେୟଗିରିରୁ ବିଷାକ୍ତ ଗ୍ୟାସ ଏବଂ ଲାଭା ନିର୍ଗତ ହୋଇଛି। ପାଉଁଶ ଗଦା ମଧ୍ୟରେ ବହୁ ଲୋକ ଫସି ରହିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି (ବିଏନ୍‌ପିବି) ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କ ଶରୀର ଜଳିଯାଇଛି। ଶତାଧିକ ଲୋକ ଆହତ ହୋଇଛନ୍ତି। ଦେଢ଼ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେନା ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ଥିବାବେଳେ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏଥିଯୋଗୁ ଆଖପାଖ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

କିଛିଦିନ ହେଲା କ୍ରମାଗତ ଭାବେ ବର୍ଷା ଓ ବଜ୍ରପାତ ଯୋଗୁ ସେମେରୁ ପର୍ବତରେ ଆଗ୍ନେୟଗିରି କ୍ଷତିଗ୍ରସ୍ତ ହୋଇଥିଲା। ଏବେ ସେଥିରୁ ଲାଭା ଉଦ୍‌ଗିରଣ ହୋଇଛି। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଭୂତତ୍ତ୍ୱ ସର୍ବେକ୍ଷଣ କେନ୍ଦ୍ରର ମୁଖ୍ୟ ଇକୋ ବୁଡି ଲେଲୋନୋ ଏହି ସୂଚନା ଦେଇଛନ୍ତି।

Share