Categories: ଜାତୀୟ

ଯବାନଙ୍କୁ ସଲାମ: ଆଣ୍ଠୁଏ ବରଫରେ କରୁଛନ୍ତି ପ୍ରାଟୋଲିଂ

ନୂଆଦିଲ୍ଲୀ,୧୭।୨: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର ଯବାନମାନେ ଉତ୍ତରାଖଣ୍ଡ ହିମାଳୟର ଚାରିପାଖରେ ଶୂନ ଡିଗ୍ରୀ ତାପମାତ୍ରାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଯବାନମାନେ ୧୫,୦୦୦ ଫୁଟ ଉଚ୍ଚରେ ଜଗି ରହିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି ଯେ, ଯବାନମାନେ କାନ୍ଧରେ ଅସ୍ତ୍ର ଝୁଲୁଛି ଏବଂ ହାତରେ ବାଡି ଧରି ଆଗକୁ ବଢୁଛନ୍ତି। ଯବାନମାନେ ଦଉଡି ସାହାଯ୍ୟରେ ପରସ୍ପରକୁ ଅନୁସରଣ କରୁଥିବା ଦେଖାଯାଇଛି। ତୁଷାରର ଗଭୀରତା ଯବାନମାନଙ୍କ ଆଣ୍ଠୁ ପର୍ଯ୍ୟନ୍ତ ଅଛି। ଏହି କାରଣରୁ ଯବାନମାନେ ଆଗକୁ ବଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ସେମାନେ ଅଟକି ନ ଯାଇ ଆଗକୁ ବଢୁଥିବା ଦେଖାଯାଉଛି। ଏହି ଭିଡିଓ ଦେଖି ଲୋକମାନେ ଯବାନଙ୍କ ସାହସକୁ ସଲାମ କରିଛନ୍ତି।
ସୂଚନାଯୋଗ୍ୟ, ୧୯୬୨ ମସିହାରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ ଗଠନ କରାଯାଇଥିଲା। ସୀମା ବ୍ୟତୀତ ଆଇଟିବିପି ଯବାନମାନେ ନକ୍ସଲ ବିରୋଧୀ ଅପରେସନ ସହିତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆଇଟିବିପି ହେଉଛି ଦେଶର ଅଗ୍ରଣୀ ପାରାମିଲିଟାରୀ ଫୋର୍ସ। ସେମାନେ ଯେକୌଣସି ପରିସ୍ଥିତି ଏବଂ ଆହ୍ବାନର ସମ୍ମୁଖୀନ ହେବାକୁ ସର୍ବଦା ପ୍ରସ୍ତୁତ ଥାନ୍ତି। ବର୍ଷସାରା ହିମାଳୟର ତୁଷାର ଆଚ୍ଛାଦିତ ଫରୱାର୍ଡ ପୋଷ୍ଟରେ ରହି ଦେଶ ସେବା କରିବା ସେମାନଙ୍କର କୌଳିକ କର୍ତ୍ତବ୍ୟ, ତେଣୁ ସେମାନଙ୍କୁ ‘ହିମବୀର୍‌’ ମଧ୍ୟ କୁହାଯାଏ।

Share