Categories: ଜାତୀୟ

ସୀମାରେ ସୁରକ୍ଷା-ସ୍ଥିରତା ପାଇଁ ଭାରତ-ଚାଇନା ସହମତି…

ଲଦାଖ, ୧୨।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ମଧ୍ୟରେ ହୋଇଥିବା ୧୫ ତମ ରାଉଣ୍ଡ ସାମରିକ କମାଣ୍ଡରସ୍ତରୀୟ ବୈଠକରେ ସୀମାରେ ସୁରକ୍ଷା ଏବଂ ସ୍ଥିରତା ପାଇଁ ସହମତି ପ୍ରକାଶ ପାଇଛି।

ଚୁସୁଲ ମାଲଡୋରେ ଅନୁଷ୍ଠିତ ହୋଇଥିବା ଏହି ବୈଠକ ପରେ ମିଳିତ ବିବୃତ୍ତିରେ କୁହାଯାଇଛି ଯେ ପଶ୍ଚିମ କ୍ଷେତ୍ରରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ୨୦୨୨ ଜାନୁଆରୀ ୧୨ରେ ଆଲୋଚିତ ହୋଇଥିବା ପ୍ରସଙ୍ଗ ଉପରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି।

ମିଳିତ ବିବୃତ୍ତିରେ କୁହାଯାଇଛି ଯେ ଅବଶିଷ୍ଟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଉଭୟ ଦେଶର ନେତାଙ୍କ ଦ୍ୱାରା ଦିଆଯାଇଥିବା ମାର୍ଗଦର୍ଶନକୁ ଦୃଷ୍ଟିରେ ରଖି ଏହି ଆଲୋଚନା ଚାଲିଛି। ଏହା ନିଶ୍ଚିତ ହୋଇଛି ଯେ ଏହିପରି ପ୍ରସ୍ତାବ ପଶ୍ଚିମ କ୍ଷେତ୍ରର ପ୍ରକୃତ ନିୟନ୍ତ୍ରଣ ରେଖା ସହିତ ଶାନ୍ତି ଫେରାଇ ଆଣିବାରେ ସାହାଯ୍ୟ କରିବ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ପ୍ରଗତିକୁ ସୁଗମ କରିବ।

ଅବଶିଷ୍ଟ ସମସ୍ୟାର ଶୀଘ୍ର ଗ୍ରହଣୀୟ ସମାଧାନ ପାଇଁ ସାମରିକ ଏବଂ କୂଟନୈତିକସ୍ତରରେ କଥାବାର୍ତ୍ତା ବଜାୟ ରଖିବାକୁ ଭାରତ ଏବଂ ଚାଇନା ସହମତ ହୋଇଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଦୁଇପକ୍ଷଙ୍କ କଥାବାର୍ତ୍ତାର ପ୍ରଥମ ସକରାତ୍ମକ ଦିଗ ହେଉଛି ମିଳିତ ବିବୃତ୍ତି ଆସିଛି। ସେହିପରି ଦ୍ୱିତୀୟ ଭଲ କଥା ହେଉଛି ଉଭୟ ପକ୍ଷ ଆଲୋଚନା ଜାରି ରଖିବାକୁ ସହମତ ହୋଇଛନ୍ତି। ତେବେ ଅସନ୍ତୋଷକୁ ନେଇ କୌଣସି ଅଗ୍ରଗତି ନେହେବା ଉପରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି।

ଦୁଇ ଦେଶ ମଧ୍ୟରେ ୧୪ ରାଉଣ୍ଡ ଆଲୋଚନା ପରେ ପାଙ୍ଗାଙ୍ଗ ତ୍ସୋ, ଗଲୱାନ ଏବଂ ପୂର୍ବ ଲଦାଖର ଗୋଗରା ହଟ୍‌ ସ୍ପ୍ରିଙ୍ଗ୍‌ ଅଞ୍ଚଳର ଉତ୍ତର ଏବଂ ଦକ୍ଷିଣ କୂଳରୁ ସେନାକୁ ପ୍ରତ୍ୟାହାର କରି ଉତ୍ତେଜନା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଲଦାଖର ଅନ୍ୟ ଅଞ୍ଚଳରେ ଜାରି ରହିଥିବା ଉତ୍ତେଜନାକୁ ଶେଷ କରିବାକୁ ଉଭୟ ପକ୍ଷ ମଧ୍ୟ ଚେଷ୍ଟା କରିବେ ବୋଲି ନିଷ୍ପତ୍ତି ହୋଇଥିଲା।

 

Share