Categories: ବାଣିଜ୍ୟ

୧୦% କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ପ୍ରଭାବ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ କଟକଣା ସହ ଘରୋଇ ବଜାରରେ ବିମାନ ସେବା ଉପଲବ୍ଧ ହେଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିପାରିନାହିଁ। କେବଳ ଭାରତ ନୁହେଁ, ସାରା ବିଶ୍ୱରେ ବିମାନ ଚଳାଚଳ କ୍ଷେତ୍ରର ଅଣ୍ଟାକୁ କରୋନା ଭାଇରସ୍‌ ଭାଙ୍ଗିଦେଇଛି। ବିମାନ କମ୍ପାନୀଗୁଡ଼ିକ ସେମାନଙ୍କ କାରବାରକୁ ବଞ୍ଚାଇବା ଲାଗି ବିକଳ୍ପ ପନ୍ଥା ଆପଣାଉଛନ୍ତି। ଦେଶର ପ୍ରମୁଖ ବିମାନ ସେବା ଯୋଗାଣକାରୀ କମ୍ପାନୀ ଇଣ୍ଡିଗୋ ବର୍ତ୍ତମାନ ପରିସ୍ଥିତିକୁ ଧ୍ୟାନରେ ରଖି ଏହାର ୧୦% କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି। ସ୍ଥିତି ବଜାୟ ରଖିବା ଲାଗି ଏଭଳି ନିଷ୍ପତ୍ତି କମ୍ପାନୀ ଗ୍ରହଣ କରିଥିବା କୁହାଯାଉଛି। ଇଣ୍ଡିଗୋରେ ବର୍ତ୍ତମାନ ୨୪ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷ କମ୍ପାନୀକୁ କର୍ମଚାରୀଙ୍କ ବାବଦ ୪୩୯୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।
ବିମାନ ଚଳାଚଳ କ୍ଷେତ୍ରକୁ ସରକାର କୌଣସି ସହାୟତା ପ୍ରଦାନ କରି ନାହାନ୍ତି। ଅପରପକ୍ଷରେ କରୋନା ଲାଗି ବିମାନସେବା ବାଧାପ୍ରାପ୍ତ ହୋଇଥିବା ବେଳେ ବିମାନ ଇନ୍ଧନ ବୃଦ୍ଧି ଯୋଗୁ କମ୍ପାନୀଗୁଡିକର ଚିନ୍ତା ବଢ଼ିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିକୁ ବିଚାରକରି କାରବାରକୁ ବଞ୍ଚାଇବା ଯୋଜନା କରାଯିବା ସହ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀର ସିଇଓ ରଣଜୟ ଦତ୍ତ କହିଛନ୍ତି। ଇଣ୍ଡିଗୋ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ପ୍ରଭାବିତ ହୋଇଥିବା କର୍ମଚାରୀଙ୍କ ଲାଗି କମ୍ପାନୀ ୬ଇ କେୟାର ପ୍ୟାକେଜ ଘୋଷଣା କରିଛି। ଏହାଦ୍ୱାରା କର୍ମଚାରୀଙ୍କୁ ନୋଟିସ ପେ ପ୍ରଦାନ ବ୍ୟବସ୍ଥା କରାଯାଇଛି। କର୍ମଚାରୀଙ୍କୁ ଅନ୍ତତଃ ପକ୍ଷେ ୩ ମାସର ବେତନ ପ୍ରଦାନ ନେଇ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ବଜାର ସ୍ଥିତି ଠିକ୍‌ ନ ଥିବା ବେଳେ ବିଭିନ୍ନ କମ୍ପାନୀ ସେମାନଙ୍କ ବାଣିଜ୍ୟକୁ ବ୍ୟବସ୍ଥିତ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଯୋଜନା ଅନ୍ତର୍ଗତ କମ୍ପାନୀଗୁଡିକ ଖର୍ଚ୍ଚକାଟ କରିବା ଲାଗି ବିକଳ୍ପ ପନ୍ଥା ଗ୍ରହଣ କରୁଛନ୍ତି। ଏହା ମଧ୍ୟରେ କର୍ମଚାରୀଙ୍କୁ ବୃହତ୍‌ ପରିମାଣର ଛଟେଇ ହେବାକୁ ପଡୁଛି।

Share