Categories: ଜାତୀୟ

ସିଗନାଲ ନ ମାନି ଟେକଅଫ୍‌ କଲା ଇଣ୍ଡିଗୋ ବିମାନ, ତା’ପରେ

ନୂଆଦିଲ୍ଲୀ,୩୧।୧: କିଛିଦିନ ଧରି ଦେଶରେ ବିମାନ ଯାତ୍ରା ରାମଙ୍କ ଭରସାରେ ଚାଲିଛିି। କେତେବେଳେ ବିମାନ ୧୨ ଘଣ୍ଟାରୁ ବିଳମ୍ବରେ ଟେକଅଫ୍‌ କରୁଛି ତ କୌଣସି ଣସି ସ୍ଥାନରେ ଯାତ୍ରୀ ବିମାନ କ୍ୟାପଟେନଙ୍କୁ ଚାପୁଡ଼ା ମାରୁଛନ୍ତି। ନିକଟରେ ଯାତ୍ରୀମାନେ ରନୱେରେ ବସି ଖାଦ୍ୟ ଖାଉଥିବାର ମଧ୍ୟ ଦେଖାଯାଇଛି। ତେବେ ପୁଣି ଏକ ବିମାନକୁ ନେଇ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଏଟିସି କ୍ଲିୟରାନ୍ସ ବିନା ଏକ ଇଣ୍ଡିଗୋ ବିମାନ ଟେକଅଫ୍‌ କରିଛି।

ସୋମବାର ସଂଧ୍ୟା ୭:୩୮ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଇଣ୍ଡିଗୋ ବିମାନ 6E 1803 ଆଜେରବାଇଜାନ ଅଭିମୁଖେ ଟେକଅଫ୍‌ କରିଥିଲା। କିନ୍ତୁ ବିନା ଏଟିସି କ୍ଲିୟରାନ୍ସରେ। ଏୟାରପୋର୍ଟରେ ଉପସ୍ଥିତ ଥିବା ଏୟାର ଟ୍ରାଫିକ କଣ୍ଟ୍ରୋଲର (ଏଟିସି)ରୁ କ୍ଲିୟରାନ୍ସ ନ ନେଇ ବିମାନର ପାଇଲଟମାନେ ଟେକଅଫ୍‌ କରିଥିଲେ। ବର୍ତ୍ତମାନ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।

ବିମାନର ଏଭିଏଶନ ରେଗୁଲେଟର ଡିଜିସିଏ ଏହି ଘଟଣାକୁ ସଜ୍ଞାନକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ, ଡିଜିସିଏ ବିମାନର ଉଭୟ ପାଇଲଟଙ୍କୁ ଫ୍ଲାଇଙ୍ଗ ଡ୍ୟୁଟିରୁ ହଟାଇ ଦେଇଛି। ଏହାର ସ୍ପଷ୍ଟୀକରଣରେ ଦେଇ ଏୟାରଲାଇନ୍ସ କହିଛି ଯେ, ଘଟଣାର ତଦନ୍ତ ଚାଲିଛି। ଅନୁସନ୍ଧାନ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କହିରଖୁଛୁ କି, ବିମାନ ବନ୍ଦରରେ ବିମାନ ଚଳାଚଳ ନିୟନ୍ତ୍ରଣ କରିବା ଏଟିସିର କାମ। ଏଥି ସହିତ, ବିମାନ ଚଳାଚଳ ସମୟରେ ପାଇଲଟମାନଙ୍କୁ ଆବଶ୍ୟକ ସୁରକ୍ଷା ନିର୍ଦ୍ଦେଶ ଦେବା କାର୍ଯ୍ୟ ମଧ୍ୟ ଏଟିସି କରିଥାଏ। ବିମାନ ଉଡ଼ାଣ ପୂର୍ବରୁ ଏଟିସି କ୍ଲିୟରାନ୍ସ ଆବଶ୍ୟକ କାରଣ ବିମାନ ବନ୍ଦରରେ ବିମାନ ଉଡ଼ାଣ ଏବଂ ଅବତରଣ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ।

Share