ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ ସୋମବାର ଘୋଷଣା କରିଛି। ଏହାଦ୍ୱାରା ଜାତୀୟ ସ୍ତରରେ ଇଣ୍ଡିଗୋ ବିମାନ ଭଡ଼ା ବୃଦ୍ଧି ପାଇବାକୁ ଯାଉଛି ।
ଯେକୌଣସି ଭାରତୀୟ ବିମାନ ସେବା ସଂସ୍ଥାର ପରିଚାଳନା ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ କେବଳ ଏଟିଏଫ୍ ପାଇଁ ଖର୍ଚ୍ଚ ହୋଇଥାଏ। ଦିଲ୍ଲୀରେ ଜୁଲାଇରୁ ଏଟିଏଫ୍ ମୂଲ୍ୟ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ଲିଟର ପିଛା ପ୍ରାୟ ୧୧୦ ରୁ ୧୩୭ ଟଙ୍କାରେ ପହଞ୍ଚିଛି, ଯେଉଁଥିରେ କେବଳ ଚଳିତ ଅକ୍ଟୋବର ମାସରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ଇଣ୍ଡିଗୋ ଦ୍ୱାରା ସୋମବାର ଘୋଷଣା କରାଯାଇଥିବା ଏହି ସଂଶୋଧିତ ଇନ୍ଧନ ଶୁଳ୍କ ମଙ୍ଗଳବାର ରାତି ୦୦:୦୧ ଟାରୁ କରାଯାଉଥିବା ସମସ୍ତ ଟିକେଟ ବୁକିଂ ଉପରେ ଲାଗୁହେବ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ସରଚାର୍ଜ ଲାଗୁ କରାଯିବା ପରଠାରୁ ଇଣ୍ଡିଗୋର ଇନ୍ଧନ ଶୁଳ୍କରେ ଏହା ହେଉଛି ଦ୍ୱିତୀୟ ସଂଶୋଧନ।