Categories: ଜାତୀୟ

ଖୁବ୍‌ଶୀଘ୍ର ସ୍ବଦେଶୀ ୪ଜି ନେଟ୍‌ଓ୍ବର୍କ: ଅଶ୍ୱିନୀ

ନୂଆଦିଲ୍ଲୀ,୩୧।୩ : ଭାରତରେ ଖୁବ୍‌ଶୀଘ୍ର ସ୍ବଦେଶୀ ୪ଜି ମୋବାଇଲ୍‌ ନେଟଓ୍ବର୍କ ସେବା କାର୍ଯ୍ୟକାରୀ ହେବାକୁ ଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ୫ଜି ନେଟ୍‌ଓ୍ବର୍କ ପ୍ରସ୍ତୁତ ହୋଇଯିବ ବୋଲି ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଲୋକ ସଭାରେ କହିଛନ୍ତି। ବହୁବର୍ଷ ପରେ ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏହାର ସେବାରେ ଉନ୍ନତି ଆଣିବା ସହ ବ୍ୟବସାୟକୁ ଲାଭଜନକ କରିପାରିଛି। ଭାରତର ଇଞ୍ଜିନିୟରମାନେ ସ୍ବଦେଶୀ ୪ଜି ନେଟ୍‌ଓ୍ବର୍କ ପ୍ରସ୍ତୁତ କରିସାରିଲେଣି ଓ ଖୁବ୍‌ଶୀଘ୍ର ଏହା ଆରମ୍ଭ ହେବାକୁ ଯାଉଛି। ଆମେ କିପରି ଏତେଶୀଘ୍ର ୪ଜି ନେଟ୍‌ଓ୍ବର୍କ ପ୍ରସ୍ତୁତ କଲୁ ଏହାକୁ ନେଇ ସାରା ବିଶ୍ୱ ବିସ୍ମିତ ବୋଲି ପ୍ରଶ୍ନୋତ୍ତର କାଳରେ ଅଶ୍ୱିନୀ କହିଥିଲେ। ସେହିପରି ୫ଜି ଉପରେ କାର୍ଯ୍ୟ ଚାଲିଛି ଓ ବର୍ଷ ଶେଷ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ ବୋଲି ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି। ଆକାଂକ୍ଷୀ ଜିଲା ଏବଂ ଉତ୍ତର ପୂର୍ବାଞ୍ଚଳରେ ୯,୦୦୦ରୁ ଊର୍ଦ୍ଧ୍ୱ ଟେଲିକମ୍‌ ଟାଓ୍ବାର ନିର୍ମାଣ କରାଯିବ। ୬୦,୨୦୦ ଗ୍ରାମରେ ମୋବାଇଲ ଭିତ୍ତିଭୂମିର ବିକାଶ ଲାଗି ୬,୪୪୬ କୋଟି ଟଙ୍କାର ଯୋଜନା ହାତକୁ ନିଆଯାଇଥିବା ଟେଲିକମ୍‌ ମନ୍ତ୍ରୀ କହିଛନ୍ତି।

Share