ଜାତିସଂଘରେ ତେଜିଲା ଭାରତର ସ୍ବର: ସୁରକ୍ଷା ପରିଷଦ ସଂଶୋଧନ କରିବାକୁ ଦାବି

ଜେନେଭା, ୧।୯: ଜାତିସଂଘରେ ଭାରତ ସ୍ବର ଅଧିକ ଶାଣିତ ହେବାରେ ଲାଗିଛି। ସୁରକ୍ଷା ପରିଷଦ ସଂଶୋଧନ କରିବା ନେଇ ଭାରତ ଜାତିସଂଘ ଜେନେରାଲ ଆସେମ୍ବ୍ଲି ଅଧ୍ୟକ୍ଷଙ୍କୁ ଲେଖାଯାଇଥିବା ଚିଠିରେ ଦାବି କରିଛି। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଭାରତ କହିଛି। ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଏକବିଂଶ ଶତାବ୍ଦୀର ଭୂ ରାଜନୈତିକ ବାସ୍ତବିକତାକୁ ପ୍ରତିଫଳିତ କରୁ ନ ଥିବା ଭାରତ କହିଛି। ଏଣୁ ଏହାର ମୂଳ ଢାଞ୍ଚାରେ ପରିବର୍ତ୍ତନର ଆବଶ୍ୟକତା ଥିବା ଭାରତ ପକ୍ଷରୁ କୁହାଯାଇଛି। ଜି-୪ ସଦସ୍ୟଙ୍କ ପକ୍ଷରୁ ଲେଖା ଯାଇଥିବା ଏହି ଚିଠିରେ ଭାରତ, ବ୍ରାଜିଲ୍‌, ଜର୍ମାନୀ ଏବଂ ଜାପାନ ପକ୍ଷରୁ ସଂଶୋଧନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗତ ୧୦ ବର୍ଷ ଧରି ସଂଶୋଧନ ପ୍ରକିୟା ଅଟକି ରହିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ୧୯୪୫ଠାରୁ ସ୍ଥାପିତ ହୋଇଥିବା ସୁରକ୍ଷା ପରିଷଦରେ ପୃଥିବୀର ପରିବର୍ତ୍ତିତ ଭୌଗୋଳିକ ସ୍ଥିତି ଆଧାରରେ କୌଣସି ସଂଶୋଧନ କରାଯାଇ ନ ଥିବାରୁ ଜି-୪ ସଦସ୍ୟଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଚାଇନା ସୁରକ୍ଷା ପରିଷଦରେ ସଂଶୋଧନ ଚାହୁଁ ନାହିଁ। ଏପରିସ୍ଥଳେ ଭାରତର କାର୍ଯ୍ୟାନୁଷ୍ଠାନ ଦାବି ଚାଇନାକୁ ଚିନ୍ତାରେ ପକାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଆଗରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ କୂଟନୀତି କାମ ଦେଉ ନ ଥିବା ଚର୍ଚ୍ଚା ହେଉଛି।

Share