Categories: ଖେଳ

ଭାରତର ଶୋଚନୀୟ ପରାଜୟ

ଲର୍ଡସ, ୧୪ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ୧୦୦ ରନରେ ଜିତିନେଇଛି ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୪୬ ରନ କରିଥିବା ବେଳେ ଭାରତକୁ ୧୪୬ ରନରେ ସୀମିତ ରଖି ସିରିଜକୁ ଫେରିଛି ଦଳ। ମାତ୍ର ୨୪ ରନ୍‌ ବ୍ୟୟରେ ୬ ଉଇକେଟ ନେଇ ଦ୍ରୁତ ବୋଲର ରିସି ଟୋପ୍‌ଲେ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଭାରତର ଟପ୍‌ ଅର୍ଡର ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବା ବେଳେ ଜାଡେଜା ଓ ପାଣ୍ଡ୍ୟା ୨୯ ରନ ଲେଖାଏ ସ୍କୋର କରିଥିଲେ। ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା।
ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ଜାସନ ରୟ(୨୩) ଓ ଜନି ବେୟାରଷ୍ଟୋ(୩୮) ପ୍ରଥମ ଉଇକେଟରେ ୪୧ ରନ୍‌ ଯୋଗ କରିଥିଲେ। ରୟଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ କରିବା ପରେ ଚହଲଙ୍କ ସ୍ପିନ୍‌ ଯାଦୁ ଇଂଲଣ୍ଡ ପାଇଁ କାଳ ସାଜିଥିଲା। ଜୋ ରୁଟ୍‌(୧୧) ଓ ବେନ୍‌ ଷ୍ଟୋକ୍ସ(୨୧)ଙ୍କ ଉଇକେଟ ନେଇ ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ ଚହଲ। ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌(୩୩) ଏବଂ ମୋଇନ୍‌ ଅଲୀ(୪୭) ଇନିଂସ ସଜାଡିଥିଲେ। ନିମ୍ନକ୍ରମରେ ଡେଭିଡ୍‌ ଓ୍ବିଲି (୪୧)ଙ୍କୁ ସାଥି କରି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ ମୋଇନ୍‌ ଅଲୀ। ଇଂଲଣ୍ଡର ଟପ୍‌ ସ୍କୋରର ରହିଥିବା ମୋଇନ୍‌ ଅଲୀ ୬୪ ବଲ୍‌ରୁ ଦୁଇଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪୭ ରନ ବ୍ୟୟରେ ୪ଟି ଉଇକେଟ ନେଇଥିଲେ। ପାଣ୍ଡ୍ୟା ଓ ବୁମରା ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
୨୪୭ ରନର ଲକ୍ଷ୍ୟ ଭାରତ ପାଇଁ ସହଜ ରହିବ ବୋଲି ଆଶା କରାଯାଉଥିଲା। ମାତ୍ର ଟପ୍‌ ଅର୍ଡର ବିପର୍ଯ୍ୟୟ ସହିତ ମ୍ୟାଚ ଇଂଲଣ୍ଡ ହାତକୁ ଟେକି ଦେଇଥିଲେ ବ୍ୟାଟ୍ସମ୍ୟାନ୍‌। ରୋହିତ ଶର୍ମା(୦), ଶିଖର ଧାଓ୍ବନ(୯), ବିରାଟ କୋହଲି(୧୬) ଓ ରିଷଭ ପନ୍ତ(୦) ବିଫଳ ହେବା ସହିତ ମାତ୍ର ୩୧ ରନରେ ୪ ଉଇକେଟ ହରାଇଥିଲା ଭାରତ। ସୂର୍ଯ୍ୟକୁମାର ଯାଦବ(୨୭) ଓ ହାର୍ଦ୍ଦିକ ପାଣ୍ଡ୍ୟା(୨୯) ଇନିଂସ ସମ୍ଭାଳିବାକୁ ଉଦ୍ୟମ କରିବା ସହିତ ୪୨ ରନର ପାର୍ଟନରଶିପ୍‌ କରିଥିଲେ। ଯାଦବଙ୍କ ଉଇକେଟ ପତନ ପରେ ଦଳୀୟ ସ୍କୋର ୧୦୧ ଥିବାବେଳେ ପ୍ୟାଭିଲିୟନ ଫେରିଥିଲେ ପାଣ୍ଡ୍ୟା। ଶେଷ ଆଡକୁ ରବୀନ୍ଦ୍ର ଜାଡେଜା(୨୯) ଓ ମହମ୍ମଦ ଶାମି(୨୩) କିଛି ବଡ ଶଟ୍‌ ମାନ ଖେଳିଥିଲେ। ୩୮.୫ ଓଭରରେ ଭାରତ ସମସ୍ତ ଉଇକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲା। ଟୋପ୍‌ଲେଙ୍କ ବ୍ୟତୀତ ମୋଇନ୍‌ ଅଲୀ, ଲିଭିଙ୍ଗଷ୍ଟୋନ, କାର୍ସେ ଓ ଡେଭିଡ୍‌ ଓ୍ବିଲି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share