ଭାରତର କଡ଼ା ଜବାବ୍‌, ପ୍ରଥମେ ଖାଲି କର ପିଓକେ…

ଜେନେଭା,୨୫।୯: ଜାତିସଂଘ ସାଧାରଣ ସଭା ବୈଠକରେ ପାକିସ୍ତାନ ପୁଣି ଥରେ କାଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦିଛି। ଏହି ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ଭୁଲ ତଥ୍ୟ ରଖି ଭାରତ ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ବାସ୍ତବତାକୁ ଅଣଦେଖା କରି ଇମ୍ରାନ ଖାଁ ନିଜକୁ ପୀଡ଼ିତ ହୋଇଥିବା ଦର୍ଶାଇଛନ୍ତି।

ଇମ୍ରାନଙ୍କ ମିଥ୍ୟା ଅଭିଯୋଗର ଜବାବ ଦେଇ ଭାରତ କହିଛି ଯେ ଆତଙ୍କବାଦର ଶିକାର ହୋଇଥିବା କହି ପାକିସ୍ତାନ ଅଭିନୟ କରୁଛି। ଭାରତ ପକ୍ଷରୁ ପ୍ରଥମ ସଚିବ ସ୍ନେହା ଦୁବେ ପକ୍ଷ ରଖିଥିଲେ।

ଜାତିସଂଘ ଫୋରମରେ ଭାରତ କହିଛି ଯେ ପାକିସ୍ତାନ ମିଥ୍ୟା ତଥା ପ୍ରତାରଣା ପ୍ରଚାର ପାଇଁ ବିଶ୍ୱ ପ୍ଲାଟଫର୍ମ ବ୍ୟବହାର କରୁଛି। ପାକିସ୍ତାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ପାଲଟିଛି। ଯେଉଁ ଦେଶରେ ମିଳିତ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀଙ୍କ ସଂଖ୍ୟା ସର୍ବାଧିକ, ଓସାମା ବିନ ଲାଡେନକୁ ଶହୀଦ ମାନ୍ୟତା ପ୍ରଦାନ କରୁଥିବା ଦେଶ, ସେହି ଦେଶ ନିଜକୁ ଆତଙ୍କବାଦର ଶିକାର ବୋଲି କହିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସ୍ନେହା ଦୁବେ କହିଛନ୍ତି।

ଭାରତୀୟ କୂଟନୀତିଜ୍ଞ ସ୍ନେହା ଦୁବେ କହିଛନ୍ତି ଯେ ଏହା ପ୍ରଥମ ଘଟଣା ନୁହେଁ ଯେ ପାକିସ୍ତାନର ନେତା ଭାରତ ବିରୁଦ୍ଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣିବା ପାଇଁ ମିଳିତ ଜାତିସଂଘର ଫୋରମର ଅପବ୍ୟବହାର କରିଛନ୍ତି। ପାକିସ୍ତାନ ନିଜକୁ ଆତଙ୍କବାଦର ଶିକାର ବୋଲି ବର୍ଣ୍ଣନା କରୁଛି କିନ୍ତୁ ଆତଙ୍କବାଦୀମାନେ ସେଠାରେ ଖୁସିରେ ବାସ କରୁଛନ୍ତି ଏବଂ ସାଧାରଣ ଲୋକ ଏବଂ ବିଶେଷକରି ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଜୀବନ ଅତ୍ୟନ୍ତ ଦୁଃଖଦାୟକ ହୋଇପଡ଼ିଛି। ଆତଙ୍କବାଦର ଏପରି ପ୍ରତିରକ୍ଷା ଆଧୁନିକ ଦୁନିଆରେ ଗ୍ରହଣୀୟ ନୁହେଁ।

ଜାଣିଶୁଣି ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଉପରେ ଅବୈଧ କବ୍‌ଜା କରାଯାଇଛି। ଶୀଘ୍ର ଏହାକୁ ଖାଲି କରିବା ଲାଗି ଭାରତ ପାକିସ୍ତାନ ଉଦ୍ଦେଶ୍ୟରେ କହିଛି। ବାସ୍ତବରେ, ପାକିସ୍ତାନ କାଶ୍ମୀର ଏବଂ ଆଫଗାନିସ୍ତାନ ପ୍ରସଙ୍ଗକୁ ବିଶ୍ୱ ସ୍ତରରେ ଉଠାଇ ନିଜର ଭୁଲ ଲୁଚାଇବାକୁ ଚେଷ୍ଟା କରୁଛି।

ୱାଶିଂଟନରେ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ବାଲୁଚ ଅଞ୍ଚଳର ଲୋକମାନେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏେକ୍ଷେତ୍ରରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ପାକିସ୍ତାନ ପାଇଁ ଉତ୍ତର ଦେବା କଷ୍ଟକର ହୋଇପଡୁଛି ବୋଲି ଭାରତ କହିଛି।

Share