ଜାତିସଂଘରେ ଭାରତର କଡ଼ା ଜବାବ: ଆତଙ୍କବାଦୀଙ୍କୁ ଶହୀଦ୍‌ କହୁଛି ପାକିସ୍ତାନ

ଜେନେଭା, ୨୨।୯: ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘର ୭୫ ବର୍ଷପୂର୍ତ୍ତିି ଅବସରରେ ଆୟୋଜିତ ଏକ ବୈଠକରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ବିଦିଶା ମୈତ୍ରା ପାକିସ୍ତାନ ଆତଙ୍କବାଦୀଙ୍କୁ ଶହୀଦ୍‌ କହୁଥିବା ପ୍ରକାଶ କରିଛନ୍ତି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମୁଦ କୁରେଶି କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଭାରତ ପକ୍ଷରୁ ବିଦିଶା ଉତ୍ତର ଦେବା ଅଧିକାର ପ୍ରୟୋଗ କରି ଏଭଳି ଜବାବ ରଖିଥିଲେ। ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ଅଭୟ ଶରଣ ଶିବିର ପାଲଟିଥିବା ସେ କହିଛନ୍ତି। କଶ୍ମୀର ପ୍ରସଙ୍ଗରେ ଶାନ୍ତିର କଥା କହୁଥିବା ପାକିସ୍ତାନ ପ୍ରକୃତ ପକ୍ଷେ ଶାନ୍ତି ହିଁ ଚାହୁଁ ନ ଥିବା ସେ ନିଜ ଉତ୍ତରରେ କହିଛନ୍ତି। ପାକିସ୍ତାନ ସବୁବେଳେ ମନଗଢ଼ା କାହାଣୀ କହୁଛି। ଏହାର କୌଣସି ସତ୍ୟତା ନାହିଁ। ଜାତିସଂଘର ବାର୍ଷିକୀ ବୈଠକରେ ଏଭଳି ଆଧାରହୀନ ପ୍ରସଙ୍ଗ ଉଠାଇବାର ପ୍ରାସଙ୍ଗିଙ୍ଗତା ନେଇ ସେ ପାକିସ୍ତାନକୁ ପ୍ରଶ୍ନ କରିଥିଲେ। ଜମ୍ମୁ-କଶ୍ମୀର ଭାରତ ଅଭିନ୍ନ ଅଙ୍ଗ। ଏହାକୁ ବାରମ୍ବାର ଜାତିସଂଘରେ ଉପସ୍ଥାପନ କରାଯିବାର କୌଣସି ଆବଶ୍ୟକତା ନାହିଁ। ସମ୍ପ୍ରତି ଆତଙ୍କବାଦ ସହିତ ଲଢ଼େଇ ପ୍ରସଙ୍ଗ ଜାତିସଂଘ ପାଇଁ ଗୁରୁତ୍ୱପୂର୍ଣ୍ଣ ପାଲଟିଛି। ଏପରିସ୍ଥଳେ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ନେଇ ପୃଥିବୀରେ ଖ୍ୟାତି ହାସଲ କରିଥିବା ପାକିସ୍ତାନର କଥା ହାସ୍ୟାସ୍ପଦ। ଅଳ୍ପ ସଂଖ୍ୟକଙ୍କ ଉପରେ ପାକିସ୍ତାନ ନିଜ ଦେଶରେ ନିର୍ଯାତନା ଜାରି ରଖିଥିବା ସେ କହିଛନ୍ତି।

Share