ଲିଡ୍ସ, ୧୯ା୬: ଗୋଇଠିରେ ଆଘାତପ୍ରାପ୍ତ ଯୋଗୁ ଅଫ୍ ସ୍ପିନର ଶ୍ରେୟଙ୍କା ପାଟିଲ ଚଳିତ ମହିଳା ଟି୨୦ ବିଶ୍ୱକପ୍ରୁ ବାହାରି ଯାଇଛନ୍ତି। ଏହା ଭାରତୀୟ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ତାଙ୍କ ସ୍ଥାନରେ ନୂଆ ଖେଳାଳି ଲେଗ୍ ସ୍ପିନର ପ୍ରେମା ରାଓ୍ବତଙ୍କୁ ଦଳରେ ସାମିଲ କରାଯାଇଛି।
ବୁଧବାର ନେଦରଲାଣ୍ଡ୍ସ ବିପକ୍ଷ ଭାରତର ୯୫ରନ ବିଜୟ ମ୍ୟାଚରେ ୨୩ ବର୍ଷୀୟା ଶ୍ରେୟଙ୍କା ଆଘାତପ୍ରାପ୍ତ ହୋଇଥିଲେ। ପାଓ୍ବାରପ୍ଲେର ଫାଇନାଲ ଓଭରରେ ବଲ୍କୁ ରୋକିବାକୁ ଯିବାବେଳେ ପାଟିଲଙ୍କ ଗୋଇଠି ମକଚି ହୋଇଯାଇଥିଲା। ଦଳର ଫିଜିଓ ତୁରନ୍ତ ପଡ଼ିଆ ଭିତରକୁ ଯାଇଥିଲେ। ସେତେବେଳେ ସେ ଗୋଟିଏ ମାତ୍ର ବଲ ଡେଲିଭରି କରିଥିଲେ। ଆଘାତପ୍ରାପ୍ତ ପାଟିଲ ଚାଲି ନ ପାରିବାରୁ ତାଙ୍କୁ ଷ୍ଟ୍ରେଚର ସହାୟତାରେ ପଡ଼ିଆ ବାହାରକୁ ଅଣାଯାଇଥିଲା। ଶ୍ରେୟଙ୍କା ପାଟିଲଙ୍କ ବଦଳ ଖେଳାଳି ହିସାବରେ ପ୍ରେମା ରାଓ୍ବତଙ୍କୁ ଦଳରେ ସାମିଲ କରାଯିବା ଅନୁରୋଧ ଆଇସିସି ଓମେନ୍ସ ଟି୨୦ ବିଶ୍ୱକପ୍ ୨୦୨୬ର ଇଭେଣ୍ଟ ଟେକ୍ନିକାଲ କମିଟି ଦ୍ୱାରା ମଞ୍ଜୁର ହୋଇଛି।
୨୪ ବର୍ଷୀୟା ରାଓ୍ବତଙ୍କୁ ପ୍ରଥମ ଥର ଜାତୀୟ ସିନିୟର ଦଳରେ ସ୍ଥାନ ମିଳିଛି। ରାଓ୍ବତ ଓମେନ୍ସ ପ୍ରିମିୟର ଲିଗ୍ରେ ଦୁଇଟି ସିଜନ ଖେଳିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ସେ ୬ଟି ମ୍ୟାଚ ଖେଳିଛନ୍ତି।