Categories: ଖେଳ

ମାଟି କାମୁଡିଲା ଅଷ୍ଟ୍ରେଲିଆ: ଦ୍ୱିତୀୟ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ

ନୂଆଦିଲ୍ଲୀ,୧୯।୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତ ତୃତୀୟ ଦିନରେ ୬ ଉଇକେଟ୍‌ରେ ମ୍ୟାଚ୍‌ କବ୍‌ଜା କରିଛି। ଏହା ସହ ଭାରତ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୨୬୨ ରନ ସ୍କୋର କରିଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଦଳ ୧୧୩ ରନରେ ଅଲଆଉଟ୍‌ ହୋଇ ଭାରତ ସମ୍ମୁଖରେ ୧୧୫ ରନ ଲକ୍ଷ୍ୟ ରଖିଥିଲା। ଭାରତ ୪ ଉଇକେଟ୍‌ ଲକ୍ଷ୍ୟ ହାସଲ କରିଛି। ଏହାପୂର୍ବରୁ ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ଇନିଂସରେ ପରାସ୍ତ ହୋଇଥିଲା।
ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୧୩ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲା। ବାମହାତୀ ସ୍ପିନର ରବିନ୍ଦ୍ର ଜାଡେଜା ୪୨ ରନ ଦେଇ ୭ ଉଇକେଟ ନେଇଥିଲେ। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ।
୧୧୫ ରନ୍‌ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ଭଲ ଆରମ୍ଭ କରିପାରି ନ ଥିଲା। କେଏଲ ରାହୁଲ ପୁଣି ଥରେ ଏକ ବଡ଼ ଇନିଂସ ଖେଳିପାରି ନ ଥିଲେ। ସେ ଗୋଟିଏ ରନ ସ୍କୋର କରି ଅଫ ସ୍ପିନର ନାଥାନ ଲାୟନଙ୍କ ଶିକାର ହୋଇଥିଲେ। ପ୍ରଥମ ଉଇକେଟ ୬ ରନରେ ବଡିଯିବା ପରେ ଅଦତ୍ନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। ସେ ୨୦ ବଲରୁ ୩୧ ରନ ସଂଗ୍ରହ କରି ଆଉଟ୍‌ ହୋଇଯାଇଥିଲେ।
୧୦୦ ତମ ଟେଷ୍ଟ ଖେଳୁଥିବା ଚେତେଶ୍ୱର ପୂଜାର ଏବଂ ବିରାଟ କୋହଲି ସ୍କୋରକୁ ଆଗକୁ ନେଇଥିଲେ। ୩୧ ବଲରୁ ୨୦ରନ ସ୍କୋର କରିବା ପରେ କୋହଲି ଅଫ ସ୍ପିନର ଟଡ ମର୍ଫିଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍‌ ହୋଇଥିଲେ। ଏହା ପରେ ଶ୍ରେୟସ ଆୟର ୬ ରନ ସ୍କୋର କରି ଲାୟନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ପୂଜାରା ୩୧ ରନ୍‌ ଏବଂ କେ.ଏସ ଭରତ ୨୩ ରନରେ ଅପରାଜିତ ରହିଥିଲେ।

Share