ନୂଆଦିଲ୍ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍ ଆର୍ଥ ଏଲିମେଣ୍ଟସ’ (Rare Earth Elements – REE) ବା ଦୁର୍ଲଭ ଖଣିଜ ପଦାର୍ଥ ମିଳିଛି। ଏହି ଆବିଷ୍କାର ପ୍ରତିରକ୍ଷା ଏବଂ ହାଇ-ଟେକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତକୁ ଆତ୍ମର୍ନିଭରଶୀଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
ସ୍ମାର୍ଟଫୋନ, ଲ୍ୟାପଟପ, ମ୍ୟାଗ୍ନେଟ, ଇଲେକ୍ଟ୍ରିକ ଭେହିକିଲ (EVs) ଏବଂ କ୍ଲିନ ଏନର୍ଜି (ପବନ ଚାଳିତ ଟର୍ୱାଇନ ଓ ସୋଲାର ପ୍ୟାନେଲ) ଭଳି ଅତ୍ୟାଧୁନିକ ଉପକରଣ ତିଆରି ପାଇଁ ବ୍ୟବହୃତ ହେଉଥିବା ଏହି ଦୁର୍ଲଭ ଖଣିଜ ଉପରେ ଏବେ ଭାରତର ଅଧିକାର ସାବ୍ୟସ୍ତ ହେବ। ଏହି ଦୁର୍ଲଭ ଖଣିଜର ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତ ନିଜର ଘରୋଇ ଉତ୍ସ ସନ୍ଧାନ କରୁଥିଲା। ଏହି ସମୟରେ ରାଜସ୍ଥାନର ମରୁଭୂମି ଅଞ୍ଚଳରେ ଏକ ବଡ଼ ସଫଳତା ମିଳିଛି। ଏଠାରେ ପତିତ ଜମି ତଳେ ମିଳିଥିବା ଏହି ଭଣ୍ଡାରର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି।
TheEarth.com ର ରିପୋର୍ଟ ଅନୁଯାୟୀ, ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ସିୱାନା ରିଙ୍ଗ କମ୍ପ୍ଲେକ୍ସ (Siwana Ring Complex) ରେ ଏହି ଦୁର୍ଲଭ ଉପାଦାନଗୁଡ଼ିକ ମିଳିଛି। ରକେଟ ଠାରୁ ଆରମ୍ଭ କରି ଆଟୋମିକ ପାୱାର ପ୍ଲାଣ୍ଟ ପର୍ଯ୍ୟନ୍ତ ବ୍ୟବହୃତ ହେଉଥିବା ଏହି ମୂଲ୍ୟବାନ କଞ୍ଚାମାଲ ଏବେ ଭାରତକୁ ନିଜ ମାଟିରୁ ହିଁ ମିଳିପାରିବ।
ରିପୋର୍ଟ ମୁତାବକ, ଏହି କମ୍ପ୍ଲେକ୍ସର ତିନୋଟି ପ୍ରମୁଖ ବ୍ଲକରେ ରେୟାର୍ ଆର୍ଥ ଏଲିମେଣ୍ଟସ, ହେଭି ରେୟାର୍ ଆର୍ଥ ଏଲିମେଣ୍ଟସ ଏବଂ କ୍ରିଟିକାଲ ରେୟାର୍ ମେଟାଲ୍ସ ମିଳିଛି। ଏହାର ବୈଷୟିକ ମୂଲ୍ୟାଙ୍କନ ପାଇଁ ତିନୋଟି ବଡ଼ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି।
ସିୱାନା ରିଙ୍ଗ କମ୍ପ୍ଲେକ୍ସ ମୂଳତଃ ଏକ ପ୍ରାଚୀନ ଆଗ୍ନେୟଗିରିର ଗହର (Volcanic Caldera)। ଏହା ପ୍ରାୟ ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି। IIT ସହଭାଗିତାରେ ଏଠାରେ କାର୍ଯ୍ୟ ଚାଲିଛି। ବୈଜ୍ଞାନିକ ସର୍ଭେରୁ ଜଣାପଡିଛି ଯେ, ଏହି ଅଞ୍ଚଳରେ ମୁଖ୍ୟତଃ ନିଓବିୟମ (Niobium), ଜିରକୋନିୟମ (Zirconium) ଏବଂ ହାଫନିୟମ (Hafnium) ଭଳି ଅତ୍ୟନ୍ତ ଦୁର୍ଲଭ ଉପାଦାନ ରହିଛି।
ଏହି ଦୁର୍ଲଭ ଖଣିଜଗୁଡ଼ିକର ବ୍ୟବହାର ଏରୋସ୍ପେସ ଇଞ୍ଜିନ ପାଇଁ ସୁପର-ଏଲଏ ମ୍ୟାଟେରିଆଲ ପ୍ରସ୍ତୁତି ଏବଂ ମେଡିକାଲ ଉପକରଣର ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟରେ କରାଯାଏ। ଏହା ବ୍ୟତୀତ ନ୍ୟୁକ୍ଲିୟର ରିଆକ୍ଟର, ମିସାଇଲ ଟେକ୍ନୋଲୋଜି, ଇଲେକ୍ଟ୍ରିକ କାର୍, ରୋବୋଟିକ୍ସ, ମାଇକ୍ରୋ-ଇଲେକ୍ଟ୍ରୋନିକ୍ସ, କେମିକାଲ ପ୍ରୋସେସିଂ, ହାଇ-ଏଣ୍ଡ ବ୍ୟାଟେରୀ ଏବଂ ପ୍ରତିରକ୍ଷା ପ୍ରଣାଳୀରେ (Defense Systems) ଏହାର ବହୁଳ ବ୍ୟବହାର କରାଯାଏ।
ରେୟାର୍ ଆର୍ଥ ଏଲିମେଣ୍ଟସ ମାମଲାରେ ଭାରତ ସମଗ୍ର ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି। ଭାରତ ପାଖରେ ପ୍ରାୟ ୬୯ ଲକ୍ଷ ମେଟ୍ରିକ ଟନ REE ମହଜୁଦ ଅଛି। ତଥାପି ବିଶ୍ୱର ମୋଟ ଉତ୍ପାଦନରେ ଭାରତର ଅଂଶଧନ ୧% ରୁ ମଧ୍ୟ କମ। ଏଥିପାଇଁ ଚୀନ ଉପରେ ର୍ନିଭରଶୀଳତା କମାଇବାକୁ ଭାରତ ସରକାର ବେସରକାରୀ କମ୍ପାନୀଗୁଡ଼ିକ ସହିତ ମିଶି ଏହାର ଉତ୍ପାଦନ ବଢ଼ାଇବାକୁ ଚାହୁଁଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ କେରଳ ଭଳି ଉପକୂଳବର୍ତ୍ତୀ ରାଜ୍ୟରେ ମଧ୍ୟ REE ମିଳିଥାଏ।
ସାରା ବିଶ୍ୱରେ ଏହି ଭଣ୍ଡାର ଥିଲେ ମଧ୍ୟ ଏହାକୁ ମାଟିରୁ ବାହାର କରିବା ଏବଂ ରିଫାଇନ (ଶୋଧନ) କରିବା ଅତ୍ୟନ୍ତ କଷ୍ଟକର। ଚୀନ ଏହି କ୍ଷେତ୍ରରେ ବିଶ୍ୱରେ ପ୍ରଥମ ସ୍ଥାନରେ ଅଛି, ଯାହା ପାଖରେ ୪୪୦ ଲକ୍ଷ ମେଟ୍ରିକ ଟନ REE ର ଷ୍ଟକ ଅଛି (ଯାହା ସାରା ବିଶ୍ୱର ୪୯%)। ଚୀନ ବାର୍ଷିକ ୨.୭ ଲକ୍ଷ ମେଟ୍ରିକ ଟନ REE ଉତ୍ପାଦନ କରେ। ଚୀନ ପରେ ଭିଏତନାମ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଆମେରିକା ପାଖରେ ମାତ୍ର ୧୯ ଲକ୍ଷ ଟନ ଭଣ୍ଡାର ରହିଛି ଏବଂ ଆମେରିକାର କାଲିଫର୍ଣ୍ଣିଆର ମାଉଣ୍ଟେନ ପାସ ମାଇନ ଏହାର ସବୁଠାରୁ ବଡ଼ ଉତ୍ସ ଅଟେ। ଭାରତର ଏହି ନୂତନ ଆବିଷ୍କାର ଚୀନର ଏକଚାଟିଆ ବ୍ୟବସାୟକୁ ବଡ଼ ଝଟକା ଦେଇପାରେ।