ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍ରେ ନିଜର ଘାତକ ବୋଲିଂରେ ବିପକ୍ଷ ଦଳକୁ ଅଡ଼ୁଆରେ ପକାଇଛନ୍ତି ତନ୍ମୟ। ଗୋଟିଏ ମ୍ୟାଚ୍ରେ ଉଭୟ ଇନିଂସ୍କୁ ମିଶାଇ ସେ ୧୪ଟି ଉଇକେଟ ନେଇଛନ୍ତି। ଏହି ପ୍ରଦର୍ଶନ ୟୁଥ ଟେଷ୍ଟ କ୍ରିକେଟ୍ରେ ଏକ ନୂଆ ରେକର୍ଡ ବୋଲି ଦାବି କରାଯାଉଛି।
ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍ର ପ୍ରଥମ ଇନିଂସ୍ରେ ତନ୍ମୟ ୨୫ ଓଭର ବୋଲିଂ କରି ମାତ୍ର ୩୨ ରନ ଦେଇ ୬ଟି ଉଇକେଟ ନେଇଥିଲେ। ଏଥିରେ ୧୧ଟି ମେଡେନ ଓଭର ରହିଥିଲା। ତାଙ୍କର ଏହି ଦମ୍ଦାର ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୧୭୪ ରନ୍ରେ ଅଲଆଉଟ ହୋଇଥିଲା।
ଦ୍ୱିତୀୟ ଇନିଂସ୍ରେ ମଧ୍ୟ ତନ୍ମୟଙ୍କ ଜଲୱା ଜାରି ରହିଥିଲା। ସେ ୧୯.୫ ଓଭର ବୋଲିଂ କରି ୪୧ ରନ ଦେବା ସହ ୮ଟି ଉଇକେଟ ହାସଲ କରିଥିଲେ। ଏହି ଇନିଂସ୍ରେ ସେ ୫ଟି ମେଡେନ ଓଭର ମଧ୍ୟ ପକାଇଥିଲେ। ଫଳରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍ରେ ମାତ୍ର ୧୫୧ ରନ୍ରେ ସୀମିତ ରହିଥିଲା।
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ଟେଷ୍ଟରେ ଭାରତ ପ୍ରଥମ ଇନିଂସ୍ରେ ୩୧୫ ରନ କରିଥିଲା। ଏହାଦ୍ୱାରା ଭାରତକୁ ୧୪୧ ରନ୍ର ଅଗ୍ରଣୀ ମିଳିଥିଲା। ଦ୍ୱିତୀୟ ଇନିଂସ୍ରେ ଅଷ୍ଟ୍ରେଲିଆ ୧୫୧ ରନ୍ରେ ଅଲଆଉଟ ହେବା ପରେ ଭାରତ ସମ୍ମୁଖରେ ମାତ୍ର ୧୧ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଭାରତୀୟ ଦଳ ମାତ୍ର ୫ଟି ବଲ୍ରେ ଏହି ଲକ୍ଷ୍ୟ ହାସଲ କରି ୧୦ ୱିକେଟ୍ରେ ବିଜୟୀ ହୋଇଥିଲା।
ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଅନୌପଚାରିକ ଯୁବ ଟେଷ୍ଟ ମ୍ୟାଚ୍ର ସିରିଜକୁ ଭାରତ ୨-୦ରେ ଜିତିଛି। ରାଜକୋଟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଗୋଟିଏ ଇନିଂସ ଓ ୪୮ ରନ୍ରେ ବିଜୟ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଟେଷ୍ଟରେ ୧୦ ଉଇକେଟେ୍ରେ ବିଜୟ ହାସଲ କରି ଭାରତ ସିରିଜକୁ କ୍ଲିନ ସୁଇପ କରିଛି।