Categories: ଖେଳ

‘ଇଣ୍ଡିଆଜ୍‌ ଗେମ୍‌’ ପ୍ରାମାଣିକ ଚଳଚ୍ଚିତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୮(ତପନ ସ୍ବାଇଁ): ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‌ ଗେମ୍‌-ଏ ଷ୍ଟୋରି ଅଫ୍‌ ଏ ଟିମ୍‌ ଦ୍ୟାଟ୍‌ ୟୁନାଇଟେଡ ଦି ନେଶନ’କୁ ଉଦ୍‌ଘାଟନ କରିଛନ୍ତି। ୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସ୍ବର୍ଣ୍ଣ ପଦକ ବିଜୟ କିପରି ସମଗ୍ର ଭାରତକୁ ଏକତ୍ରିତ କରିଥିଲା ଏବଂ ଭାରତୀୟ ଖେଳର ଧାରା ପରିବର୍ତ୍ତନ କରିଥିଲା ତାହା ଏଥିରେ ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ହକି ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଲୋକସେବା ଭବନର କନ୍‌ଭେନଶନ ସେଣ୍ଟରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ହକି ପ୍ରତି ଅବଦାନ ରଖିଥିବା କିମ୍ବଦନ୍ତୀ ଖେଳାଳି ଏବଂ ଐତିହାସିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ”ସ୍ବାଧୀନତା ଦିବସ ଅବସରରେ ଆମେ ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ସ୍ବାଧୀନ ଭାରତର ସ୍ବପ୍ନ ଦେଖିଥିବା ସ୍ବାଧୀନତା ସଂଗ୍ରାମୀ ଏବଂ ଅଲିମ୍ପିକ୍ସ ହକିରେ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିବା ସମସ୍ତ ଖେଳାଳିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛୁ“। ସ୍ବାଧୀନତା ସଂଗ୍ରାମରେ ଭାରତୀୟ ହକିର ଭୂମିକା ଉପରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ର ନିର୍ମାଣର ସ୍ଥୂଳ ଧାରଣା ପ୍ରକୃତରେ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ।

କିମ୍ବଦନ୍ତୀ ସ୍ବାଧୀନତା ସଂଗ୍ରାମୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଜୀବନୀରେ ସେ ଅନୁପ୍ରାଣିତ ହୋଇଥିଲେ। ସ୍ବାଧୀନତା ଆନ୍ଦୋଳନ ଅବସରରେ ବ୍ରିଟିଶ୍‌ ଓ ଜର୍ମାନୀ ପରି ଔପନିବେଶିକ ଶାସକ ଦଳ ବିପକ୍ଷରେ ଭାରତର ବିଜୟରେ ସ୍ବାଧୀନତା ସଂଗ୍ରାମୀମାନେ ପ୍ରେରିତ ହୋଇଥିଲେ। ୟୁକେର ଲେଭଲ ଫିଲ୍ମସ ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ପ୍ରସ୍ତୁତ କରିଛି। ଏଥିରେ ହିଟଲରଙ୍କ ଜର୍ମାନୀ, ଗ୍ରେଟ୍‌ ବ୍ରିଟେନ ଓ ପାକିସ୍ତାନ ବିପକ୍ଷରେ ବିଜୟ ସହ ଭାରତ କିପରି ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ତାହାକୁ ସ୍ଥାନିତ କରାଯାଇଛି। ଏହି ଐତିହାସିକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଓଡ଼ିଶା ସରକାର ଓ ହକି ଇଣ୍ଡିଆ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା।
ଉକ୍ତ ସମାରୋହରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌. ଭିନିଲ କ୍ରିଷ୍ଣା ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କିମ୍ବଦନ୍ତୀ ଖେଳାଳି ଗୁରବକ୍ସ ସିଂ, ହରବିନ୍ଦର ସିଂ ଏବଂ ବର୍ତ୍ତମାନ ଭାରତୀୟ ଦଳର ସଦସ୍ୟ ରାଣୀ ରାମପାଲ, ମନପ୍ରୀତ ସିଂ, ଅମିତ ରୋହିଦାସ ଏବଂ ରାଜ୍ୟର ଅନେକ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଓ ବର୍ତ୍ତମାନର କେତେକ ହକି ଖେଳାଳି ଏବଂ ଐତିହାସିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Share