ନୂଆଦିଲ୍ଲୀ,୨୨ା୧୧:କୁକୁଡ଼ାମାନଙ୍କୁ ଅତ୍ୟଧିକ ସଂକ୍ରାମକ ଆଭିଆନ୍ ଇନ୍ଫ୍ଲୁଏଞ୍ଜା (ଏଚ୍ପିଏଆଇ) ବା ବାର୍ଡ ଫ୍ଲୁରୁ ରକ୍ଷା କରିବା ଲକ୍ଷ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏଚ୍୫ଏନ୍୧ ଟିକାର ଶୁଭାରମ୍ଭ କରିଛନ୍ତି। ଭୋପାଳସ୍ଥିତ ଆଇସିଏଆର୍-ନ୍ୟାଶ୍ନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜେସ ଦ୍ୱାରା ଏହି ଟିକା ବିକଶିତ କରାଯାଇଛି। ଅତ୍ୟଧିକ ସଂକ୍ରାମକ ଆଭିଆନ ଇନ୍ଫ୍ଲୁଏଞ୍ଜା ସୃଷ୍ଟି କରୁଥିବା ‘କ୍ଲେଡ ୨.୩.୨.୧ଏ’ ର ଏଚ୍୫ଏନ୍୧ ଭୂତାଣୁ ବିରୁଦ୍ଧରେ ଭାରତରେ ବିକଶିତ ଏହା ହେଉଛି ପ୍ରଥମ ଟିକା। ଏହି ଟିକା ଭାରତର ଆତ୍ମନିର୍ଭରଶୀଳତାର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ଚୌହାନ କହିଛନ୍ତି।
ସାଧାରଣତଃ ବାର୍ଡ ଫ୍ଲୁ ଭାବରେ ଜଣାଶୁଣା ଏଚ୍ପିଏଆଇ ହେଉଛି କୁକୁଡ଼ା ଏବଂ ଅନ୍ୟାନ୍ୟ ପକ୍ଷୀମାନଙ୍କୁ ପ୍ରଭାବିତ କରୁଥିବା ଏକ ଭୟଙ୍କର ଭୂତାଣୁଜନିତ ରୋଗ। ଏହାଦ୍ୱାରା ସଂକ୍ରମିତ ପକ୍ଷୀମାନଙ୍କ ମଧ୍ୟରେ ମୃତ୍ୟୁହାର ପ୍ରାୟ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର କ୍ରୀଡ଼ା, ଯୁବ କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ, ଭୋପାଳ ଭାଜପା ସାଂସଦ ଆଲୋକ ଶର୍ମା ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।