ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଭାରତ ୩-୦ରେ କ୍ଲିନ ସୁଇପ କରିଛି।
ଅନ୍ୟପକ୍ଷରେ ଆଫଗାନିସ୍ତାନ ଚତୁର୍ଥ ଥର ପାଇଁ ଦିନିକିଆରେ ସିରିଜ୍ ସୁଇପ୍ର ସମ୍ମୁଖୀନ ହୋଇଛି। ହଶମାତୁଲା ଶାହିଦିଙ୍କ ଶତକ ବଳରେ ଆଫଗାନିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୧୯ ରନର ଟାର୍ଗେଟକୁ ଭାରତ ୨୮.୪ ଓଭରରେ ୧ ଉଇକେଟ ହରାଇ ହାସଲ କରି ନେଇଥିଲା। ମ୍ୟାଚ୍ରେ ଜୟସ୍ବାଲ ତାଙ୍କ ଦିନିକିଆ କ୍ୟାରିୟରର ଦ୍ୱିତୀୟ ଶତକ କରିଥିବା ବେଳେ କ୍ରିଷ୍ଣା ପ୍ରଥମ ଥର ପାଇଁ ୫ ଉଇକେଟ ନେଇଛନ୍ତି। କ୍ରିଷ୍ଣାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ଶୁବମନ ଗିଲ୍ଙ୍କୁ ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି।
ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ପ୍ରସିଦ୍ଧଙ୍କ ବୋଲିଂର ସମ୍ମୁଖୀନ ହୋଇ ନ ପାରି ୧୦ ଓଭରରେ ୩୬ ରନରେ ୪ ଉଇକେଟ ହରାଇଥିଲା। ଏଭଳି ପରିସ୍ଥିତିରେ ଅଧିନାୟକ ହଶମାତୁଲା ଶାହିଦି, ଆଜମାତୁଲା ଓମାରଜାଇ(୫୦ ରନ, ୫ ଚୌକା ଓ ୨ ଛକା) ପଞ୍ଚମ ଉଇକେଟରେ ୧୦୫ ରନ ଯୋଡ଼ିଥିଲେ। ଏହାପରେ ମହମ୍ମଦ ନବି(୨୧)ଙ୍କ ସହ ମିଶି ଶାହିଦି ଦଳୀୟ ସ୍କୋରକୁ ୨୦୦ ରନ ପାଖରେ ପହଞ୍ଚାଇଥିଲେ। ଏକଦା ୩୭ ଓଭରରେ ୧୯୮ ରନରେ ୫ ଉଇକେଟ ହରାଇଥିବା ଆଫଗାନିସ୍ତାନ ୨୦ ରନ ମଧ୍ୟରେ ବଳକା ୫ ଉଇକେଟ ହରାଇଥିଲା। ଅଧିନାୟକ ଶାହିଦି ଶତକ ପୂରଣ କରିବା ପରେ ଅନ୍ତିମ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ। ସେ ୧୩୧ ବଲରେ ୧୩ ଚୌକା ଓ ୧ ଛକା ସହ ୧୦୨ ରନ କରିଥିଲେ।
ଭାରତ ପାଇଁ ପ୍ରସିଦ୍ଧ ୫ ଉଇକେଟ ନେଇଥିବା ବେଳେ ଗୁରନୁର ବ୍ରାର, ପ୍ରିନ୍ସ ଯାଦବ ଓ ହର୍ଷ ଦୁବେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଭାରତ ପକ୍ଷରୁ ଜୟସ୍ବାଲ ଓ ରୋହିତ ଶର୍ମା ଆଫଗାନିସ୍ତାନର ଦୁର୍ବଳ ଫିଲ୍ଡିଂର ଫାଇଦା ଉଠାଇ ଆଟାକିଂ ବ୍ୟାଟିଂ କରିଥିଲେ। ଦୁହେଁ ୨୨.୫ ଓଭରରେ ୧୭୦ ରନ ଯୋଡ଼ିଥିଲେ। ରୋହିତ ୬୯ ବଲରେ ୯ ଚୌକା ଓ ୩ ଦର୍ଶନୀୟ ଛକା ବଳରେ ୭୯ ରନ କରି ଆଉଟ୍ ହୋଇଥିଲେ।
ପରେ ଶ୍ରେୟସ ଆୟାର(୨୦ ରନ, ୨ ଛକା)ଙ୍କ ସହ ଜୟସ୍ବାଲ ମିଶି ୨୮.୪ ଓଭରରେ ମ୍ୟାଚ୍ ଫିନିଶ୍ କରିଥିଲେ। ଜୟସ୍ବାଲ ତାଙ୍କ ଶତକ ଓ ମ୍ୟାଚ୍କୁ ଛକା ମାରି ଫିନିଶ କରିଥିଲେ। ଜୟସ୍ବାଲ ୮୬ ବଲରେ ୧୪ ଚୌକା ଓ ୩ ଛକା ବଳରେ ୧୧୦ ରନ କରିଥିଲେ।