କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍ପ୍ରୀତ ସିଂ ଏକାକି ୪ଟି ଗୋଲ୍ ୧୮ତମ, ୧୯ତମ, ୩୭ତମ ଓ ୪୯ତମ ମିନିଟ୍ରେ ସ୍କୋର କରିଥିଲେ। ତାଙ୍କର ଏ ସମସ୍ତ ଫିଲ୍ଡ ଗୋଲ୍ ଥିଲା।
ଶିଳାନନ୍ଦ ଲାକ୍ରା (୬ଷ୍ଠ, ୩୫ତମ) ଏବଂ ସୁଖଜିତ୍ ସିଂ (୩୮ତମ ଓ ୪୮ତମ) ଦୁଇଟି ଲେଖାଏ ଗୋଲ ଦେଇଥିବା ବେଳେ ଅଭିଷେକ (୧୨ତମ), ରାଜୀନ୍ଦର ସିଂ (୧୯ତମ), ମନଦୀପ ସିଂ (୨୧ତମ), ଅଧିନାୟକ ହରମନପ୍ରୀତ ସିଂ (୨୮ତମ) ଓ ଯୁଗରାଜ ସିଂ (୪୭ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।
ଇଣ୍ଡୋନେସିଆ ପକ୍ଷରୁ ଏକମାତ୍ର ସାନ୍ତ୍ୱନାମୂଳକ ଗୋଲ୍ ଅଉଲିଆ ଅଲ୍ ଅରଦ ଖେଳର ୩୩ତମ ମିନିଟ୍ରେ ସ୍କୋର କରିଥିଲେ। ଭାରତ ଏହାର ପରବର୍ତ୍ତୀ ଗେମ୍ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଏସିଆନ ଗେମ୍ସରେ ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ ନୀଳରଙ୍ଗର ଜର୍ସିରେ ଖେଳିବେ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଥିଲେ। ମାତ୍ର ଉଭୟ ଦଳ କମଳା ରଙ୍ଗର ଜର୍ସିରେ ମ୍ୟାଚ ଖେଳିଥିଲେ, ଯାହାକୁ ସେମାନେ ନିକଟରେ ନେଦରଲାଣ୍ଡ୍ସ ଓ ବେଲଜିୟମରେ ପରିଧାନ କରିଥିଲେ।