ନୂଆଦିଲ୍ଲୀ,୨୬।୧: ୨୦୨୫ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ୮୮ ଘଣ୍ଟିଆ ଯୁଦ୍ଧ ଉପରେ ବଡ ଖୁଲାସା ହୋଇଛି। ସୁଇଜରଲ୍ୟାଣ୍ଡର ପ୍ରତିଷ୍ଠିତ ସାମରିକ ଥିଙ୍କ୍ ଟ୍ୟାଙ୍କ ‘ସେଣ୍ଟର ଫର ମିଲିଟାରୀ ହିଷ୍ଟ୍ରି ଆଣ୍ଡ ପର୍ସପେକ୍ଟିଭ୍ ଷ୍ଟଡିଜ୍’ (CHPM) ବଡ ଦାବି କରିଛି। ‘ଅପରେସନ୍ ସିନ୍ଦୂର’ ସମୟରେ ଭାରତର ପ୍ରଚଣ୍ଡ ବାୟୁ ଶକ୍ତି ଆଗରେ ହାର ମାନି ପାକିସ୍ତାନ ଶେଷରେ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା।
ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ମେ ୭ ତାରିଖ ଭୋର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ବାହାୱାଲପୁର ଏବଂ ମୁରିଦକେ ସ୍ଥିତ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତାଇବା ଭଳି ସଂଗଠନର ମୁଖ୍ୟାଳୟ ଉପରେ ସଠିକ ଭାବେ ଲଙ୍ଗ୍ ରେଞ୍ଜ୍ ମିସାଇଲ ମାଡ଼ କରିଥିଲା।
ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନରେ ଭାରତ ଏକ ରାଫେଲ୍ ଓ ମିରାଜ୍ ବିମାନ ହରାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ରଣନୈତିକ ବିଜୟ ହାସଲ କରିଥିଲା। ଭାରତ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ରାଡାର ନେଟୱାର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତ କରିଦେଇଥିଲା। ବ୍ରହ୍ମୋସ ଓ SCALP-EG ଭଳି ଅତ୍ୟାଧୁନିକ କ୍ରୁଜ୍ ମିସାଇଲ ବ୍ୟବହାର କରି ଭାରତ ପାକିସ୍ତାନର ପ୍ରମୁଖ ବାୟୁସେନା ଘାଟିର ରନୱେ ଓ ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା।
ଏହି ସମୟରେ ଭାରତର ‘ଆକାଶତୀର’ ସିଷ୍ଟମ ଏବଂ S-400 ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନୀ ପାଲଟା ଆକ୍ରମଣକୁ ବିଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। “ପାକିସ୍ତାନ ପ୍ରଥମେ ପ୍ରଚାର ମାଧ୍ୟମରେ ବିଜୟୀ ହେବାକୁ ଚେଷ୍ଟା କରିଥିଲା, କିନ୍ତୁ ମେ ୧୦ ତାରିଖ ବେଳକୁ ପାକିସ୍ତାନୀ ବାୟୁସେନା (PAF) ଆଉ ଭାରତ ସହ ମୁକାବିଲା କରିବା ସ୍ଥିତିରେ ନଥିଲା।” – ସୁଇସ୍ ରିପୋର୍ଟ
ଏହି ଅପରେସନ୍ ଦକ୍ଷିଣ ଏସିଆର ସାମରିକ ସନ୍ତୁଳନକୁ ବଦଳାଇ ଦେଇଛି। ଭାରତ ଏବେ ସ୍ପଷ୍ଟ କରିଛି ଯେ ଆତଙ୍କବାଦୀ ଆକ୍ରମଣ ପାଇଁ କେବଳ ସଂଗଠନ ନୁହେଁ, ବରଂ ସେମାନଙ୍କୁ ସହାୟତା କରୁଥିବା ପାକିସ୍ତାନୀ ପ୍ରଶାସନ ମଧ୍ୟ ପରିଣାମ ଭୋଗିବ। ଶେଷରେ, ପାକିସ୍ତାନର ସାମରିକ ଶକ୍ତିକୁ ଦୁର୍ବଳ କରି ଭାରତ ନିଜ ସର୍ତ୍ତରେ ଏହି ଯୁଦ୍ଧ ଶେଷ କରିଥିଲା।

