Categories: ଜାତୀୟ

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତର ୮୭୦୦ କୋଟି ଡଲାର କ୍ଷତି…

ନୂଆଦିଲ୍ଲୀ,୨୬।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଗତ ୨୦୨୦ ବର୍ଷରେ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ୭୮୦୦ କୋଟି ଡଲାର କ୍ଷତି ହୋଇଛି। ଏନେଇ ମଙ୍ଗଳବାର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଏସିଆରେ ଜଳବାୟୁ ସମ୍ପର୍କରେ ପ୍ରକାଶିତ ଏକ ରିପୋର୍ଟ ଉଲ୍ଲେଖ ହୋଇଛି। ଭାରତର ଗତ ବର୍ଷ ଦେଖାଦେଇଥିବା ବାତ୍ୟା, ବନ୍ୟା ଏବଂ ମରୁଡି ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଯାଇଛି। ଜାତିସଂଘ ଦ୍ୱାରା ଅକ୍ଟୋବର ୩୧ରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋରେ ଆୟୋଜିତ ହେବାକୁଥିବା ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇଛି।

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚାଇନାରେ ସର୍ବାଧିକ ୨୩୮୦୦ କୋଟି ଡଲାର ୪ କ୍ଷତି ହୋଇଛି। ଏହା ପଛରେ ଭାରତ ରହିଛି। ସେହିପରାି ଜାପାନର ୮୩ ୦୦ କୋଟି ଡଲାର କ୍ଷତି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ମରୁଡ଼ି ଯୋଗୁ ଅଧିକ କ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ଗତ ବର୍ଷ ଅତ୍ୟଧିକ ଉତ୍ତାପ ଅନୁଭୁତ ହୋଇଥିବାବେଳେ ଏସିଆର ତାପମାତ୍ରାରେ ୧.୩୯ ଡିଗ୍ରୀ ସେଲସିୟସ୍‌ ବୃ୍‌ଦ୍ଧି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ଏସିଆରେ ଖାଦ୍ୟ ସୁରକ୍ଷା ସ୍ଥିତି ଉତ୍କଟ ରହିଥିବା ଏଥିରେ ଦର୍ଶାଯାଇଛି।

୨୦୨୦ ବର୍ଷରେ ଦକ୍ଷିଣ-ପୂର୍ବ ଏସିଆରେ ୪୮.୮ ନିୟୁତ ଲୋକ କୁପୋଷଣର ଶିକାର ହୋଇଥିବାବେଳେ ଦକ୍ଷିଣ ଏସିଆରେ ଏହାର ପରିମାଣ ୩୦୫.୭ ନିୟୁତ ରହିଛି। ସେହିପରି ପଶ୍ଚିମ ଏସିଆରେ ୪୨.୩ ନିୟୁତ ଲୋକ କୁପୋଷଣ ଦ୍ୱାରା ପ୍ରଭାବିତ ହୋଇଥିବା ରିପୋର୍ଟରେ ପ୍ରକାଶିତ ହୋଇଛି।

Share