ପ୍ରାକୃତିକ ବିପର୍ଯ୍ୟୟକୁ ଶୀଘ୍ର ଭୁଲି ପାରନ୍ତି ଭାରତୀୟ !

ନୂଆଦିଲ୍ଲୀ, ୩୧।୮: ପୃଥିବୀରେ ଦକ୍ଷିଣ ଏସିଆ ବାସିନ୍ଦାଙ୍କର ଏକ ସ୍ବତନ୍ତ୍ର ସ୍ଥିତି ରହିଛି। ଏଠାରେ ବହୁ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଅନୁଭୁତ ହୋଇଥାଏ। କେବେ ଭୂମିକମ୍ପ ତ କେବେ ବାତ୍ୟା। ପୁଣି କେବେ ମହାମାରୀ ଅବା ସୁନାମୀ। ଏସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସହିବା ଦକ୍ଷିଣ ଏସିଆ ବାସିନ୍ଦାଙ୍କ ସହଜାତ ପ୍ରବୃତ୍ତି ଭଳି ମନେହୋଇଥାଏ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ସେମାନଙ୍କ ମଧ୍ୟରେ ଭାରତୀୟଙ୍କ ମଧ୍ୟରେ ଏଭଳି ପ୍ରବୃତ୍ତି ଅଧିକ ଦେଖିବାକୁ ମିଳିଥାଏ। ଚିକିତ୍ସା ବିଜ୍ଞାନ ଅନୁସାରେ ଯେଉଁମାନଙ୍କ ଶରୀରରେ ସେରାଟୋନିନ୍‌ ନାମକ ହରମୋନ୍‌ କ୍ଷରଣ ଅଧିକ ହୋଇଥାଏ। ସେମାନେ ଶୀଘ୍ର ଅବସାଦଗ୍ରସ୍ତ ହୋଇଥାନ୍ତି। ଅପର ପକ୍ଷରେ ଯେଉଁମାନଙ୍କ ଶରୀରରେ ଡୋପାମାଇନ୍‌ ହରମୋନ୍‌ ଅଧିକ କ୍ଷରଣ ହୁଏ ସେମାନେ ଦୁଃଖରେ ମଧ୍ୟ ଖୁସି ରହିବାର କ୍ଷମତା ରଖିଥାନ୍ତି। ଜଳବାୟୁର ପ୍ରଭାବ ମଧ୍ୟ ଏସବୁ ହରମୋନ୍‌ କ୍ଷରଣକୁ ପ୍ରଭାବିତ କରୁଥିବା କୁହାଯାଇଥାଏ। ଦକ୍ଷିଣ ଏସିଆର ଜଳବାୟୁ ଡୋପାମାଇନ୍‌ ହରମୋନ କ୍ଷରଣକୁ ପ୍ରଭାବିତ କରିଥାଏ ବୋଲି କେତେକ ମତ ଦେଇଥାନ୍ତି। ଭାରତରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ପରେ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଦୁଃଖୀଙ୍କୁ ସହାୟତା କରିବା ଲାଗି ବହୁ ସହଯୋଗର ହାତ ବଢ଼ିଆସିଥାଏ। ଏହା ଶୀଘ୍ର କ୍ଷତ ଭରିଦେଇଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଥାନ୍ତି।

Share