ଇସ୍ରାଏଲ୍‌ରେ ଥିବା ଭାରତୀୟ ସୁରକ୍ଷିତ ଅଛନ୍ତି: ଭାରତୀୟ ଦୂତାବାସ

ଜେରୁଜେଲମ୍‌,୮ା୧୦: ହମାସ ବିଦ୍ରୋହୀ ଏବଂ ଇସ୍ରାଏଲୀ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ତେବେ ସେଠାରେ ଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ବୋଲି ତେଲ୍‌ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସେମାନଙ୍କୁ ସୁରକ୍ଷିତ ଭାବେ ଭାରତ ପଠାଇବା ପାଇଁ କେତେଜଣ ନାଗରିକ ଏବଂ ଅଟକି ରହିଥିବା ପର୍ଯ୍ୟଟକ ଦୂତାବାସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ଇସ୍ରାଏଲ୍‌ରେ ପ୍ରାୟ ୧୮,୦୦୦ ଭାରତୀୟ ରହିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କ ପ୍ରତି କୌଣସି ଅପ୍ରୀତିକର ଘଟଣା ଘଟି ନ ଥିବା ଜଣାପଡ଼ିଛି। ଇସ୍ରାଏଲ୍‌କୁ କେତେକ ପର୍ଯ୍ୟଟକ ଗୋଷ୍ଠୀ ଏବଂ କେତେକ ବ୍ୟବସାୟୀ ଉତ୍ତେଜନା ମଧ୍ୟରେ ଫସି ରହିଛନ୍ତି। ସେମାନେ ନିରାପଦର ସହ ଭାରତ ଫେରିଯିବାକୁ ଚାହନ୍ତି। ତେଲ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ଏବଂ ପାଲେଷ୍ଟଶଇନ୍‌ରେ ଥିବା ଭାରତର ପ୍ରତିନିଧି କାର୍ଯ୍ୟାଳୟ ପକ୍ଷରୁ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଥିଲା। ସେମାନଙ୍କୁ ସତର୍କ ରହିବା ସହ ଜରୁରୀ ପଡ଼ିଲେ କାର୍ଯ୍ୟାଳୟ ସହ ସିଧାସଳଖ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।

Share