ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ ଅତିକ୍ରମ କଲେ ଆଗାମୀ ଦିନରେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ। ବିଶେଷକରି ଭାରତ ଭଳି ଦେଶରେ ଏହାର ପ୍ରଭାବ ଅଧିକ ଭୟଙ୍କର ହୋଇପାରେ ବୋଲି ଗବେଷଣାରୁ ସତର୍କ କରାଯାଇଛି।
ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (UNEP)ର ରିପୋର୍ଟ ଅନୁସାରେ, ଗ୍ଲୋବାଲ ୱାର୍ମିଂକୁ ନିୟନ୍ତ୍ରଣ କରିବାର ସୁଯୋଗ ଏବେ ବି ରହିଛି। ଗ୍ରୀନ୍ହାଉସ ଗ୍ୟାସ ନିର୍ଗମନ ହ୍ରାସ କରି ତାପମାତ୍ରା ବୃଦ୍ଧିକୁ ସୀମିତ କରାଯାଇପାରେ। କିନ୍ତୁ ଏଥିପାଇଁ ବିଶ୍ୱସ୍ତରରେ ତୁରନ୍ତ ଓ ଦୃଢ଼ ପଦକ୍ଷେପ ଆବଶ୍ୟକ।
ଭାରତ ପାଇଁ ତାପମାତ୍ରା ବୃଦ୍ଧି ଅଧିକ ଚିନ୍ତାଜନକ। ଦେଶର ବିଶାଳ ଜନସଂଖ୍ୟା, କୃଷି ଓ ଅର୍ଥନୀତି ପାଣିପାଗ ଓ ଜଳବାୟୁ ଉପରେ ବହୁ ପରିମାଣରେ ନିର୍ଭରଶୀଳ। ଅତ୍ୟଧିକ ଗରମ, ବନ୍ୟା, ମରୁଡ଼ି ଓ ଘୂର୍ଣ୍ଣିଝଡ଼ ଭଳି ବିପର୍ଯ୍ୟୟର ଆଶଙ୍କା ଏହା ଫଳରେ ବଢ଼ିପାରେ।
ଗବେଷଣା ଅନୁସାରେ, ୧୯୮୧ରୁ ୨୦୨୦ ମଧ୍ୟରେ ଭାରତର ଗ୍ରୀଷ୍ମ ଋତୁର ସର୍ବାଧିକ ତାପମାତ୍ରାରେ ପ୍ରାୟ ୧ ଡିଗ୍ରୀ ସେଲସିୟସ ବୃଦ୍ଧି ହୋଇଛି। ଏହା ସହିତ ଲୁ’ର ପ୍ରକୋପ ମଧ୍ୟ ବଢ଼ିଛି। ଅତ୍ୟଧିକ ଗରମ ଓ ଆର୍ଦ୍ରତା ଏପରି ସ୍ଥିତି ସୃଷ୍ଟି କରୁଛି, ଯେଉଁଠାରେ ମାନବ ଶରୀର ନିଜକୁ ସ୍ବାଭାବିକ ଭାବେ ଥଣ୍ଡା ରଖିବାରେ ଅସମର୍ଥ ହୋଇପାରେ। ଏହି ସମସ୍ୟା କେବଳ ଗ୍ରୀଷ୍ମ ଋତୁରେ ନୁହେଁ, ମୌସୁମୀ ବର୍ଷା ସମୟରେ ମଧ୍ୟ ଅସହ୍ୟ ଗରମ ଓ ଗୁଳୁଗୁଳିଆ ପାଣିପାଗର ଆଶଙ୍କା ବଢ଼ାଉଛି।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭାରତର ଜଳ ଓ ଖାଦ୍ୟ ସୁରକ୍ଷା ଉପରେ ମଧ୍ୟ ପଡ଼ିପାରେ। ଗ୍ରୀନ୍ହାଉସ ଗ୍ୟାସ ନିର୍ଗମନ ଯୋଗୁ ଏଲ ନିନୋ ଓ ଭାରତୀୟ ମୌସୁମୀ ବର୍ଷା ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜବୁତ ହୋଇପାରେ। ଫଳରେ ମରୁଡ଼ିର ଆଶଙ୍କା ବଢ଼ିବା ସହ କୃଷି ଓ ଖାଦ୍ୟ ଉତ୍ପାଦନ ପ୍ରଭାବିତ ହୋଇପାରେ। ପୂର୍ବରୁ ଜଳସଙ୍କଟ ସହ ଲଢ଼ୁଥିବା ଭାରତ ପାଇଁ ଏହା ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେବ।
ବୈଜ୍ଞାନିକଙ୍କ ମତରେ, ବିଶ୍ୱ ଯଦି ଏବେଠାରୁ ଗ୍ରୀନ୍ହାଉସ ଗ୍ୟାସ ନିର୍ଗମନ କମାଇବା, ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବଢ଼ାଇବା ଓ ଜଳବାୟୁ ଅନୁକୂଳନ ପଦକ୍ଷେପ ନେବାରେ ବିଫଳ ହୁଏ, ତେବେ ୧.୫ ଡିଗ୍ରୀ ସେଲସିୟସ ସୀମା ଅତିକ୍ରମ କରିପାରେ। ଏହାର ପ୍ରଭାବ ଭାରତ ଭଳି ଜଳବାୟୁ ସମ୍ବେଦନଶୀଳ ଦେଶଗୁଡ଼ିକ ପାଇଁ ସବୁଠାରୁ ଅଧିକ ଚିନ୍ତାର କାରଣ ହୋଇପାରେ।