ଭାରତୀୟମାନେ ଗିନି ପିଗ୍‌ ନୁହନ୍ତି

ନୂଆଦିଲ୍ଲୀ,୧୪ା୧: ମହାମାରୀ କରୋନାରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଭାକ୍ସିନ ଆମଦାନୀ କରି ବିଭିନ୍ନ ସହରକୁ ପଠାଉଥିବାବେଳେ ଏହାର ରିଲିଜ୍‌କୁ ନେଇ ବିବାଦ ଆରମ୍ଭ ହୋଇଛି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ସହଭାଗିତାରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ଶେଷ ହୋଇ ନ ଥିବାବେଳେ ଲୋକଙ୍କୁ କିପରି ଭାବେ ଏହି ଟିକା ଦିଆଯାଉଛି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ ଏମ୍‌ପି ମନୀଷ୍‌ ତିଓ୍ବାରୀ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପର୍ଯ୍ୟନ୍ତ କୋଭାକ୍ସିନର ଟିକାକରଣ ବନ୍ଦ କରିବାକୁ ଦାବି କରିଛନ୍ତି। ଭାରତୀୟମାନେ ଗିନି ପିଗ୍‌ ନୁହନ୍ତି, ଯେ ସେମାନଙ୍କ ଶରୀରରେ ମନଇଚ୍ଛା ଟିକା ପ୍ରୟୋଗ କରି ଟ୍ରାଏଲ୍‌ କରିବ ବୋଲି ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ପ୍ରକାଶ ଯେ, କେନ୍ଦ୍ର ସରକାର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ପକ୍ଷରୁ ନିର୍ମିତ କୋଭିଶିଲ୍ଡ ସହ ଭାରତ ବାୟୋଟେକ୍‌ର କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଥିଲେ, ଭାରତୀୟମାନେ କେଉଁ ଟିକା ନେବେ ସେନେଇ ଏତେଶୀଘ୍ର ସେମାନେ ଚୟନ କରିପାରିବେ ନାହିଁ। ଏନେଇ ମନୀଷ ତିଓ୍ବାରୀ ବୁଧବାର ଟୁଇଟ୍‌ କରିଛନ୍ତି, କାଲିଯାଏ କେନ୍ଦ୍ର ସରକାର ଦାବି କରୁଥିଲେ ଯେ କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଛି। ହେଲେ ଆଜି ଟିକା ଗ୍ରହୀତାଙ୍କୁ ନିଜ ପସନ୍ଦର ଭାକ୍ସିନ ନେବା ଲାଗି ଅନୁମତି ନ ଦେଇ ଏନ୍‌ଡିଏ/ଭାଜପା କ’ଣ ଭାରତୀୟଙ୍କ ଉପରେ ପ୍ରୟୋଗ କରୁଛି? କୋଭାକ୍ସିନ୍‌ର ରୋଲ୍‌ଆଉଟ୍‌ ବାସ୍ତବରେ କ’ଣ ଫେଜ୍‌-୩ର ଟ୍ରାଏଲ୍‌ ବୋଲି ମନୀଷ ପ୍ରଶ୍ନ କରିଛନ୍ତି।

Share