ବୁଷ୍ଟର ଡୋଜ୍‌ ନେବାକୁ ଦେଶ ଛାଡୁଛନ୍ତି ଭାରତୀୟ…

ନୂଆଦିଲ୍ଲୀ,୬।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ଆତଙ୍କ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ, ଓମିକ୍ରନ୍‌ ଭୟରେ ବହୁ ଭାରତୀୟ ଦେଶ ଛାଡୁଛନ୍ତି। ସେମାନେ ବୁଷ୍ଟର ଡୋଜ୍‌ ନେବାକୁ ବିଦେଶ ପଳାୟନ କରୁଛନ୍ତି। ଏପର୍ଯ୍ୟନ୍ତ ଭାରତରେ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେଣୁ ବଡ଼ ବଡ଼ ଶିଳ୍ପପତି ଏବଂ ବଡ କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେବା ପାଇଁ ବିଦେଶ ମୁହାଁ ହୋଇଛନ୍ତି।

ଶିଳ୍ପ ଜଗତର ପଦାଧିକାରୀ କହିଛନ୍ତି ଯେ ସେମାନେ ଜାଣିଛନ୍ତି ଯେ ସେମାନଙ୍କ କମ୍ପାନୀର ବହୁ କର୍ମଚାରୀ ବୁଷ୍ଟର ଡୋଜ ନେବା ପାଇଁ ଭାରତ ବାହାରକୁ ଯାତ୍ରା କରୁଛନ୍ତି। ଲୋକମାନେ ସେମାନଙ୍କର ପ୍ରତିରୋଧକ ଶକ୍ତି ପାଇଁ ଚିନ୍ତିତ, ତେଣୁ ସେମାନେ ଡାକ୍ତରୀ ପରାମର୍ଶ ପରେ ବୁଷ୍ଟର ଡୋଜ୍‌ ନେବାକୁ ବିଦେଶ ଯାତ୍ରା କରୁଛନ୍ତି। ଏକ ବୃହତ କମ୍ପାନୀର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ ସେମାନଙ୍କର ଅନେକ କର୍ମଚାରୀ ବୁଷ୍ଟର ଡୋଜ ପାଇଁ ଆମେରିକା ଯାଇଛନ୍ତି।

ବୁଷ୍ଟର ଡୋଜ ପାଇଁ ବିଦେଶ ଯାତ୍ରା କରୁଥିବା ଭାରତୀୟଙ୍କର ପସନ୍ଦର ଦେଶ ହେଉଛି ବ୍ରିଟେନ ଏବଂ ଆମେରିକା। ଯେଉଁମାନେ ଫାଇଜର ଅତିରିକ୍ତ ଡୋଜ ନେବାକୁ ଚାହୁଁଛନ୍ତି ସେମାନେ ଦୁବାଇ ମଧ୍ୟ ଯାଉଛନ୍ତି। ଏକ କମ୍ପାନୀର ସିଇଓ କହିଛନ୍ତି ଯେ ଭାରତରେ ବୁଷ୍ଟର ଡୋଜ ଉପରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ, ଏହା ଆଇନଗତ କି ବେଆଇନ ତାହା ମୁଁ ଜାଣେ ନାହିଁ। କିନ୍ତୁ ଲୋକମାନେ ନିଜ ସ୍ବାସ୍ଥ୍ୟ ବିଷୟରେ ଚିନ୍ତିତ ଏବଂ ନିଜକୁ ସୁରକ୍ଷିତ କରିବାକୁ ଚାହାଁନ୍ତି, ସେମାନେ କୌଣସି ବିପଦ ନେବାକୁ ଚାହୁଁ ନାହାନ୍ତି। ତେଣୁ ବୁଷ୍ଟର ଡୋଜ୍‌ ନେବାକୁ ବିଦେଶ ଯାତ୍ରା କରୁଛନ୍ତି।

ଯଦିଓ ଭାରତରେ ବୁଷ୍ଟର ଡୋଜ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ଶୀଘ୍ର ଏସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଇପାରେ। କରୋନା ଟିକା ର ଅତିରିକ୍ତ ମାତ୍ରା ବିଷୟରେ କେତେକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ବୈଜ୍ଞାନିକମାନେ ମଧ୍ୟ ଏହାର ଆବଶ୍ୟକତା ବିଷୟରେ କହିଛନ୍ତି। ଏଭଳି ପରିସ୍ଥିତିରେ ଖୁବ ଶୀଘ୍ର କେନ୍ଦ୍ର ସରକାର ବୁଷ୍ଟର ଡୋଜ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରିବାର ଆଶା ରହିଛି। ପ୍ରଥମ ପର୍ଯ୍ୟାୟରେ ବୟସ୍କ ଲୋକ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବା ଆବଶ୍ୟକତା ରହିଛି। ବୁଷ୍ଟର ଡୋଜ୍‌ ସମ୍ପର୍କରେ ସେରମ ଇନଷ୍ଟିଚ୍ୟୁଟର ଆଦାର୍‌ ପୁନାୱାଲା କହିଛନ୍ତି ଯେ ବୁଷ୍ଟର୍‌ ଡୋଜ ପାଇଁ ୧.୫ କୋଟିରୁ ଅଧିକ କୋଭିଡଶିଲ୍ଡ ଡୋଜ ମହଜୁଦ୍‌ ରହିଛି।

Share