Categories: ଜାତୀୟ

ନ୍ୟାୟିକ ବ୍ୟବସ୍ଥାର ଭାରତୀୟକରଣ ଜରୁରୀ…

ହାଇଦ୍ରାବାଦ, ୨୭।୧୨: ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଭାରତୀୟକରଣ କରିବାର ଆବଶ୍ୟକତା ରହିଛି। ହାଇଦ୍ରାବାଦରେ ଆୟୋଜିତ ଅଲ ଇଣ୍ଡିଆ ଆଡଭୋକେଟ କାଉନସିଲର ଷଷ୍ଠତମ ଜାତୀୟ ପରିଷଦ ବୈଠକରେ ଯୋଗଦେଇ ସୁପ୍ରିମ୍‌କୋର୍ଟର ବିଚାରପତି ଏସ.ଏ. ନାଜିର ଏଭଳି କହିଛନ୍ତି। ନାଜିର କହିଛନ୍ତି ଯେ ନ୍ୟାୟପାଳିକାର ବ୍ୟବସ୍ଥାକୁ ଭାରତୀୟ କରଣ କରିବା ଆବଶ୍ୟକ ଯାହାଦ୍ୱାରା ଅନେକ ପରିବର୍ତ୍ତନ ଆସିବ ଏବଂ ଏହା ଆଇନଗତ କାଗଜପତ୍ର ତଥ୍ୟକୁ ଅଧିକ ସରଳ କରିବ।

ପ୍ରକ୍ରିୟାଗୁଡ଼ିକୁ ସ୍ଥାନୀୟ ଭାଷାରେ ଉପଲବ୍ଧ କରାଇବ। ଫଳରେ ନ୍ୟାୟିକ ପ୍ରକ୍ରିୟା ବର୍ତ୍ତମାନ ତୁଳନାରେ କମ ବ୍ୟୟବହୁଳ ହୋଇପାରିବ।

ଦ ଇକୋନୋମିକ ଟାଇମ୍ସ ଅନୁଯାୟୀ, ନାଜିର କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟକୁ ଯିବା ପାଇଁ ଆଇନଗତ ଶୁଳ୍କ ନିଷେଧାତ୍ମକ। କୋର୍ଟର ରାୟ ସାଧାରଣତଃ ଇଂଲିଶ୍‌ରେ ଦିଆଯାଉଛି, ଯାହା ସାଧାରଣ ଲୋକଙ୍କ ବୁଝିବା ପାଇଁ ସହଜ ନୁହେଁ। ଫଳରେ ନ୍ୟାୟିକ ବ୍ୟବସ୍ଥା ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି। ନ୍ୟାୟିକ ବ୍ୟବସ୍ଥାକୁ ବିବେକ ନୁହେଁ ବରଂ ଅଧିକାରର ବିଷୟ ଭାବରେ ବ୍ୟବହାର କରାଯିବା ଉପରେ ଧ୍ୟାନ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି।

ଭାରତର ଗୌରବମୟ ନ୍ୟାୟିକ ଇତିହାସକୁ ଆଇନ ପାଠ୍ୟକ୍ରମରେ ଯୋଡିବା ଆବଶ୍ୟକତା ବିଷୟରେ ସେ ଗୁରୁତ୍ୱାରୋପ କରିଛନ୍ତି। ଭାରତରେ ପ୍ରାଚୀନ କାଳର ଆଦର୍ଶ ପ୍ରଥାକୁ ଅନୁକରଣ କରାଯିବା ଆବଶ୍ୟକ। ସେତେବେଳେ ନାଗରିକଙ୍କ ନ୍ୟାୟ ପାଇବା ଅଧିକାରକୁ ପ୍ରାଥମିକତା ପ୍ରଦାନ କରାଯାଉଥିଲା। ରାଜା ମଧ୍ୟ ଆଇନକୁ ପ୍ରଣାମ କରିବେ ବୋଲି ଆଶା କରାଯାଉଥିଲା ବୋଲି ସେ କହିଛନ୍ତି।

Share