ସୁଦାନରେ ହିଂସାତ୍ମକ ଗୋଷ୍ଠୀ ସହିତ ଲଢିବେ ଭାରତୀୟ ମହିଳା ସେନା

ଖାରତୋମ,୧୬ ।୧: ଜାତିସଂଘର ଶାନ୍ତି ରକ୍ଷା ମିଶନର ଏକ ଅଂଶ ଭାବେ ସୁଦାନର ହିଂସାଗ୍ରସ୍ତ ଅଞ୍ଚଳ ଅବୟେଇ ସହରରେ ଭାରତର ସର୍ବବୃହତ୍ତ ମହିଳା ସେନାଙ୍କୁ ନିୟୋଜିତ କରାଯାଇଛି । ବିଶ୍ୱର ସବୁଠାରୁ ଅଶାନ୍ତ ଅଞ୍ଚଳରେ ଏହି ନିୟୋଜନ କରାଯାଇଛି । ଜାନୁୟାରୀ ୪ରେ ହିଂସାତ୍ମକ ଗୋଷ୍ଠୀର ୨୦୦ ଲୋକ ଏହି ଗାଁ ଉପରେ ଆକ୍ରମଣ କରି ୧୩ ଜଣଙ୍କୁ ହତ୍ୟା କରିଥିଲେ । ଜାତିସଂଘରେ ଭାରତର ସ୍ଥାୟୀ ମିଶନ ଅନୁଯାୟୀ ଭାରତୀୟ କଣ୍ଟିଜେଣ୍ଟ ଶନିବାର ଅବୟେଇ ପହଞ୍ଚିଛନ୍ତି । ଏଥିରେ ଦୁଇ ସେନା ଅଧିକାରୀ ଓ ଅନ୍ୟ ସେନା ର‌୍ୟାଙ୍କର ୨୫ ସେନା ସାମିଲ ଅଛନ୍ତି ।
ଭାରତୀୟ ସେନା କହିଛି ଜାତିସଂଘର ମଧ୍ୟବର୍ତ୍ତିକାଳୀନ ସୁରକ୍ଷା ଦଳ ଅଧିନରେ ଏହି ସେନା କଠିନ ଆହ୍ୱାନ ମୂଳକ ପରିସ୍ଥିତିରେ ସୁରକ୍ଷା ପରିଚାଳନା କରିବେ । ବିଶେଷ କରି ସେହି ଲୋକଙ୍କ ମଧ୍ୟରେ କାମ କରିବେ ଯେଉଁମାନେ ଦୀର୍ଘଦିନ ଧରି ହିଂସା ମଧ୍ୟ ଦେଇ ଗତି କରୁଛନ୍ତି । ଏହି ହିଂସା ପୀଡିତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ରହିଛନ୍ତି । ଜାନୁୟାରୀ ୬ରେ ଏହି ସେନାମାନେ ଭାରତରୁ ପ୍ରସ୍ଥାନ ହେବା ପରେ ଗର୍ବ ଅନୁଭବ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜାତିସଂଘର ଶାନ୍ତି ରକ୍ଷା ମିଶନରେ ମହିଳା ଶକ୍ତି ଯୋଗ ଦେବା ଅତ୍ୟନ୍ତ ଆନନ୍ଦର ବିଷୟ ।

Share