ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା, ଅଳିଆ ଗଦାରୁ ମିଳିଲା ମୃତଦେହ

ସିଡନୀ/ନୂଆଦିଲ୍ଲୀ,୧୧।୩: ଅଷ୍ଟ୍ରେଲିଆରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଘଟଣା ହେଲା ଅଷ୍ଟ୍ରେଲିଆରେ ଭାରତୀୟ ମୂଳ ବାସିନ୍ଦା ମହିଳାଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆରେ ହାଇଦ୍ରାବାଦର ୩୬ ବର୍ଷୀୟା ମହିଳା ଚୈତନ୍ୟା ମଧାଗାନୀଙ୍କୁ ହତ୍ୟା କରାଯାଇଛି। ସେ ତାଙ୍କ ସ୍ବାମୀ ଏବଂ ପୁଅଙ୍କ ସହ ଅଷ୍ଟ୍ରେଲିଆରେ ରହୁଥିଲେ। ଶନିବାର ତାଙ୍କ ମୃତଦେହ ରାସ୍ତା କଡ଼ରେ ଥିବା ଏକ ଡଷ୍ଟବିନରୁ ମିଳିଥିଲା।
ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି, ସେ ଘଟଣା ପରେ ହାଇଦ୍ରାବାଦ ଯାଇ ନିଜ ପିଲାଙ୍କୁ ତାଙ୍କ ମାତାପିତାଙ୍କୁ ଦେଇଥିଲେ। ଖବର ଅନୁଯାୟୀ, ଅଷ୍ଟ୍ରେଲୀୟ ନାଗରିକ ହେବା ପରେ ଚୈତନ୍ୟା ଏବଂ ତାଙ୍କ ସ୍ବାମୀ ଅଶୋକ ରାଜ ଭାରିକୁପାଲା ନିଜ ପୁଅଙ୍କ ସହ ଅଷ୍ଟ୍ରେଲିଆର ପଏଣ୍ଟ କୁକରେ ରହୁଥିଲେ।
ଏହି ଘଟଣାରେ ସ୍ଥାନୀୟ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଥିବା ରିପୋର୍ଟରେ ଦର୍ଶାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅଶୋକ ରାଜ ତାଙ୍କ ୫ ବର୍ଷର ପୁଅ ସହିତ ମାର୍ଚ୍ଚ ୫ରେ ଭାରତ ଯାଇଥିଲେ। ସେବେଠାରୁ ସେ ନିଖୋଜ ଥିଲେ ଏବଂ ତାଙ୍କର କୌଣସି ସମ୍ପର୍କୀୟ କିମ୍ବା ସାଙ୍ଗମାନଙ୍କ ସହିତ କୌଣସି ସମ୍ପର୍କ ନଥିଲା।

Share