କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇଛି ଭାରତୀୟ ଟିକା: ମୋଦି

ବର୍ଲିନ,୨୬।୬: ୪୮ତମ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ଗସ୍ତରେ ଯାଇଛନ୍ତି। ମୁନିକରେ ପହଞ୍ଚି ସେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ଆପଣ ସମସ୍ତଙ୍କଠାରେ ଭାରତୀୟ ସଂସ୍କୃତି, ଏକତା ଏବଂ ଭାଇଚାରା ଦେଖୁଛି। ମୁଁ ଆପଣମାନଙ୍କ ଏହି ଭଲ ପାଇବାକୁ କେବେ ବି ଭୁଲି ପାରିବି ନାହିଁ। ଆଜି ଭାରତର ୯୦% ବୟସ୍କ ଲୋକ କରୋନା ଟିକାର ଉଭୟ ଡୋଜ୍‌ ଗ୍ରହଣ କରି ସାରିଛନ୍ତି। କିଛି ଲୋକ କହୁଥିଲେ ଯେ ୧.୨୫ ବିଲିୟନ ଜନସଂଖ୍ୟାକୁ ଟିକା ଦେବା ପାଇଁ ୧୦-୧୫ ବର୍ଷ ଲାଗିବ। କିନ୍ତୁ ଏପର୍ଯ୍ୟନ୍ତ ଭାରତରେ ଟିକା ସଂଖ୍ୟା ୧୯୬ କୋଟି ମାର୍କ ଅତିକ୍ରମ କରିଛି। ମେଡ ଇନ୍‌ ଇଣ୍ଡିଆ କରୋନା ଟିକା ଭାରତ ତଥା ବିଶ୍ୱର କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରିଛି। ଏହାସହ ପ୍ରଧାନମନ୍ତ୍ରୀ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ବିଷୟରେ ଆଲୋକପାତ କରିଥିଲେ।

Share