Categories: ଖେଳ

୧୫୭ ରନ୍‌ ଦୂରରେ ଟିମ୍‌ ଇଣ୍ଡିଆ

ଟ୍ରେଣ୍ଟ ବ୍ରିଜ୍‌, ୭।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ତଥା ଟ୍ରେଣ୍ଟ ବ୍ରିଜ୍‌ ଟେଷ୍ଟ ଜିତିବା ପାଇଁ ଭାରତକୁ ଦରକାର ଆଉ ୧୫୭ ରନ୍‌। ୨୦୯ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟର ପିଛା କରୁଥିବା ଟିମ୍‌ ଇଣ୍ଡିଆ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ୧ ଉଇକେଟ ହରାଇ ୫୨ ରନ୍‌ କରିଛି।

ପ୍ରଥମ ଇନିଂସରେ ଇଂଲଣ୍ଡ ୧୮୩ ରନ୍‌ କରିଥିବା ବେଳେ ୨୭୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଭାରତ। ଫଳରେ ୯୫ ରନ୍‌ରେ ପଛୁଆ ଥିବା ଘରୋଇ ଦଳ ଦ୍ୱିତୀୟ ଇନିଂସରେ ୩୦୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜୋ ରୁଟ୍‌ (୧୦୯) ଟେଷ୍ଟ କ୍ୟାରିୟରର ୨୧ତମ ଶତକ ହାସଲ କରିଥିଲେ। ତାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ପେସରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ପାରି ନ ଥିଲେ। ଯଶପ୍ରୀତ ବୁମରା ୫ ଉଇକେଟ ସଫଳତା ହାତେଇଥିବା ବେଳେ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ନେଇଥିଲେ ୨ ଲେଖାଏ ଉଇକେଟ। ଏହାପରେ ଭାରତକୁ ଭଲ ଆରମ୍ଭ ଦେଇଥିଲା ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି। ଦୁହେଁ ପ୍ରଥମ ଉଇକେଟ ପାଇଁ ୩୪ ରନ୍‌ ଯୋଡ଼ିବା ପରେ ପ୍ୟାଭିଲିଅନ ଫେରିଥିଲେ ରାହୁଲ (୨୬)। ଏହାପରେ ରୋହିତ (୧୨) ଓ ଚେତେଶ୍ୱର ପୂଜାରା(୧୨) ଇଂଲଣ୍ଡ ବୋଲରଙ୍କୁ ଉଇକେଟ ନେବାର ଆଉ ସୁଯୋଗ ଦେଇ ନ ଥିଲେ। ଫଳରେ ଭାରତ ଚତୁର୍ଥ ଦିନ ଶେଷ ସୁଦ୍ଧା ୧ ଉଇକେଟ ହରାଇ ୫୨ ରନ୍‌ କରିଛି।

Share