ତାଲିବାନ ଶାସନରେ ଆଫଗାନିସ୍ତାନ ପହଞ୍ଚିଲେ ଭାରତୀୟ ଅଧିକାରୀ

କାବୁଲ, ୨।୬ : ତାଲିବାନ ଶାସନରେ ପ୍ରଥମ ଥର ପାଇଁ ଭାରତୀୟ ଅଧିକାରୀଙ୍କ ଏକ ଦଳ ଆଫଗାନିସ୍ତାନରେ ପହଞ୍ଚିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଆଶ୍ୱାସନା ପରେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏକ ଟିମ କାବୁଲରେ ପହଞ୍ଚିଛନ୍ତି। ଆଫଗାନିସ୍ତାନକୁ ଦିଆଯାଉଥିବା ମାନବିକ ସହାୟତା କାର୍ଯ୍ୟର ଏହି ଦଳ ନିରୀକ୍ଷଣ କରିବେ।

ଭାରତୀୟ ଅଧିକାରୀମାନେ ତାଲିବାନର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଅଜିତ ଡୋଭାଲ ଆଫଗାନିସ୍ତାନକୁ ପ୍ରତିଶ୍ରୁତି ଦେଇଥିଲେ ଯେ ପରିସ୍ଥିତି ଯାହା ହେଉନା କାହିଁକି ଭାରତ ଜଣେ ଭଲ ବନ୍ଧୁ ଏବଂ ଭବିଷ୍ୟତରେ ମଧ୍ୟ ରହିବ। ତାଲିବାନ ମଧ୍ୟ ଭାରତକୁ ଆଫଗାନିସ୍ତାନରେ ଦୂତାବାସ ଖୋଲିବାକୁ ଅନୁରୋଧ କରିଛି।

ଭାରତୀୟ ଦଳ ପାକିସ୍ତାନ ଆଫଗାନିସ୍ତାନ ଇରାନ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂଙ୍କ ନେତୃତ୍ୱରେ ସେଠାକୁ ଯାଇଛନ୍ତି। ଗତ ବର୍ଷ ଜେପି ସିଂ ଦିଲ୍ଲୀରେ ଆଫଗାନିସ୍ତାନ ଉପରେ ଏକ ବୈଠକରେ ତାଲିବାନ ନେତାଙ୍କ ସହ ସାକ୍ଷାତ କରିଥିଲେ। ତାଲିବାନ ଶାସନକୁ ସ୍ବୀକୃତି ନଦେବା ସତ୍ତ୍ୱେ ଭାରତ ଆଫଗାନିସ୍ତାନକୁ ମାନବିକ ସହାୟତା ପଠାଉଛି।

ଏହାପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଭାରତ ନିଜର ଦୂତାବାସ ବନ୍ଦ କରିଦେଇଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ଦଳ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧୀଙ୍କୁ ଭେଟିବ ଯାହା ମାନବିକ ସହାୟତା ବଣ୍ଟନ କରିବାରେ ନିୟୋଜିତ ଅଛନ୍ତି। ଭାରତ ଆଫଗାନିସ୍ତାନକୁ ୨୦ ହଜାର ମେଟ୍ରିକ ଟନ ଗହମ ଏବଂ ୧୩ ଟନ ଔଷଧ ପଠାଇଛି। ଏହା ସହିତ କରୋନା ଟିକା ମଧ୍ୟ ପଠାଯାଇଛି।

ଏହି ଦଳ ସମସ୍ତ ସ୍ଥାନ ପରିଦର୍ଶନ କରିବେ ଯେଉଁଠାରେ ଭାରତୀୟ ସହାୟତା ପରିଚାଳିତ ହେଉଛି। ତାଲିବାନ ନେତା ଅନାସ ହକ୍କାନୀ ମଧ୍ୟ ଭାରତକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ଅନାସ କହିଛନ୍ତି ଯେ ଭାରତ ପାଇଁ ଆଫଗାନିସ୍ତାନର ଦ୍ୱାର ସବୁବେଳେ ଖୋଲା ଅଛି। କ୍ରିକେଟ ମାଧ୍ୟମରେ ଭାରତ-ଆଫଗାନିସ୍ତାନ ସମ୍ପର୍କକୁ ମଜବୁତ କରିବାକୁ ହକ୍କାନି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

 

Share