Categories: ଜାତୀୟ

ଆମେରିକାରୁ ୪ କୋଟି ଟଙ୍କା ସ୍କଲାରଶିପ୍‌ ପାଇଥିବା ଭାରତୀୟ ଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ

ନୋଏଡା, ୧୦।୮: ଆମେରିକାର ବାବସନ କଲେଜରୁ ୪ କୋଟି ଟଙ୍କା ସ୍କଲାରଶିପ ପାଇ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରୀ ସୁଦୀକ୍ଷା ଭାଟିଙ୍କର ସୋମବାର ଏକ ସଡ଼କ ଦୁର୍ଘଟଣାରେ ବିୟୋଗ ଘଟିଛି। ଦାଦ୍ରି ଅଞ୍ଚଳର ଡେରି ସ୍କାନର ଗ୍ରାମର ବାସିନ୍ଦା ସୁଦୀକ୍ଷା ନିଜ ଦାଦାଙ୍କ ସହ ଏକ ସ୍କୁଟିରେ ସିକନ୍ଦରାବାଦ (ବୁଲନ୍ଦ ସହର)ରେ ରହୁଥିବା ମାମୁଁଙ୍କୁ ଭେଟିବାକୁ ଯାଉଥିଲେ। କିନ୍ତୁ ବାଟରେ ଦ୍ରୁତ ଗତିରେ ଆସୁଥିବା ଜଣେ ବୁଲେଟ୍‌ ଆରୋହୀ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଯେଉଁଥିରେ ସୁଦୀକ୍ଷାଙ୍କର ବିୟୋଗ ଘଟିଥିଲା। ସୁଦୀକ୍ଷାଙ୍କ ପରିବାର ପକ୍ଷରୁ କୁହାଯାଇଛି, କରୋନା ଭାଇରସ୍‌ ଲାଗି ସୁଦୀକ୍ଷା ଜୁନ୍‌ ପ୍ରଥମ ସପ୍ତାହରେ ଘରକୁ ଫେରି ଆସିଥିଲେ। କିନ୍ତୁ ସେ ଆସନ୍ତା ୨୦ ତାରିଖରେ ଆମେରିକା ଫେରି ଯାଇଥାନ୍ତେ। ସୋମବାର ସେ ତାଙ୍କ ମାମୁଁଙ୍କୁ ଭେଟିବାକୁ ସିକନ୍ଦରାବାଦ ଯାଉଥିବାବେଳେ ଜାତୀୟ ରାଜପଥରେ ଔରଙ୍ଗାବାଦ ନିକଟରେ ଏକ ବୁଲେଟ ସହ ଦୁର୍ଘଟଣାରେ ଶିକାର ହୋଇଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଦାଦା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୁଦୀକ୍ଷା ଏଚ୍‌ସିଏଲ ଫାଉଣ୍ଡେସନ ସ୍କୁଲ ବିଦ୍ୟାଜ୍ଞାନରୁ ପାଠପଢ଼ି ୨୦୧୮ରେ ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଇଂଲିସରେ ୯୫, ଇତିହାସରେ ୧୦୦, ରାଜନୀତି ବିଜ୍ଞାନରେ ୯୬, ଭୂଗୋଳରେ ୯୯ ଓ ଅର୍ଥଶାସ୍ତ୍ରରେ ୧୦୦ ନମ୍ବର ରଖିଥିଲେ। ଭଲ ମାର୍କ ରଖିଥିବାରୁ ସୁଦୀକ୍ଷା ଆମେରିକାରୁ ୩.୮୦ କୋଟି ଟଙ୍କା ସ୍କଲାରଶିପ୍‌ ପାଇଥିଲେ। ଏହାପରେ ସେ ବାବସନ କଲେଜ ଅଫ୍‌ ଏଣ୍ଟରପ୍ରାଇଜର୍‌ସିପ୍‌ରେ ନାମ ଲେଖାଇଥିଲେ। ଏକ ଗରିବ ପରିବାରରୁ ଆସିଥିବା ସୁଦୀକ୍ଷାଙ୍କ ବାପା ଚା ବିକି ପରିବାର ପୋଷଣ କରନ୍ତି।

Share