Categories: ଖେଳ

ପ୍ରଣୟ ନମ୍ବର ଓ୍ବାନ୍‌

କୁଆଲାଲାମ୍ପୁର, ୯ା୯ (ପି.ଟି) : ଭାରତୀୟ ଷ୍ଟାର ସଟଲର ଏଚ୍‌ ଏସ୍‌ ପ୍ରଣୟ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରଣୟ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ର଼୍ୟାଙ୍କିଙ୍ଗରେ ପଦୋନ୍ନତିକୁ ନେଇ ଭାରତୀୟ ବ୍ୟାଡମିଣ୍ଟନ ସଂଘି(ବାଇ) ସଭାପତି ହିମନ୍ତ ବିଶ୍ୱ ଶର୍ମା ଶୁଭେଚ୍ଛା ଜଣାଇଛନ୍ତି। ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁରର ଏହା ୫ମ ସଂସ୍କରଣ ହୋଇଥିବା ବେଳେ ଜାନୁୟାରୀ ୧୧ରୁ ଡିସେମ୍ବର ୧୮ ଯାଏଁ ଟୁର୍ନାମେଣ୍ଟ ଗୁଡିକ ଏହା ମଧ୍ୟରେ ଅନ୍ତର୍ଭୁକ୍ତ। ସେପ୍ଟେମ୍ବର ୬ ତାରିଖରେ ବିଡବ୍ଲ୍ୟୁଏଫ୍‌ ପକ୍ଷରୁ ଏହାର ର଼୍ୟାଙ୍କିଙ୍ଗ ତାଲିକାକୁ ଅପଡେଟ୍‌ କରାଯାଇଥିବା ବେଳେ ପ୍ରଣୟଙ୍କୁ ଏକ ନମ୍ବର ସ୍ଥାନ ମିଳିଥିଲା। ଜାନୁୟାରୀରେ ପ୍ରଣୟ ଇଣ୍ଡିଆନ୍‌ ଓପନ ଓ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ୨୦୨୨ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ମାର୍ଚ୍ଚ ମାସରେ ଜର୍ମାନ ଓପନ କ୍ୱାର୍ଟରରେ ପ୍ରବେଶ କରିଥିବା ବେଳେ ଅଲ ଇଂଲଣ୍ଡ ଚାମ୍ପିୟନଶିପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ତେବେ ଏହାର କିଛି ଦିନ ମଧ୍ୟରେ ସ୍ବିସ୍‌ ଓପନ ରନର୍ସ ଅପ୍‌ ହୋଇଥିଲେ। ଏପ୍ରିଲ ମାସରେ କୋରିଆ ଓପନ ଓ ଥାଇଲାଣ୍ଡ ଓପନ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଜୁନ୍‌ ମାସରେ ଇଣ୍ଡୋନେସିଆ ଓପନ ଓ ମାଲେସିଆ ଓପନରେ ଯଥାକ୍ରମେ ସେମି ଓ କ୍ୱାର୍ଟର ଫାଇନାଲ ପ୍ରବେଶ କରିଥିଲେ। ଜୁଲାଇ ମାସରେ ମଧ୍ୟ ମାଲେସିଆ ମାଷ୍ଟର୍ସ ସେମି ଓ ସିଙ୍ଗାପୁର ଓପନ କ୍ୱାର୍ଟର ଫାଇନାଲରେ ସେ ପ୍ରବେଶ କରଥିଲେ। ଅଗଷ୍ଟ ମାସରେ ମଧ୍ୟ ସେ ଜାପାନ ଓପନରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ସହିତ ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲେ।

Share