Categories: ଖେଳ

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ : କୋହଲି, ହାର୍ଦ୍ଦିକ, ଈଶାନ୍ତଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୨୦।୧-ଅଷ୍ଟ୍ରେଲିଆର ଗାବା ଗଡ଼ରେ ଟିମ୍‌ ଇଣ୍ଡିଆର ମହାବିଜୟ ପାଳନ ହେଉଥିବାବେଳେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ ସମସ୍ୟାରେ ଥିବା ଯଶପ୍ରୀତ୍‌ ବୁମ୍‌ରା, ରବିଚନ୍ଦ୍ରନ ଅଶ୍ୱିନ ଫିଟ୍‌ ଘୋଷିତ ହୋଇଥିବାବେଳେ ଅଭିଜ୍ଞ ସ୍ପିନର ଅକ୍ଷର ପଟେଲଙ୍କୁ ଡାକରା ମିଳିଛି।
ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ନୂଆ ଜାତୀୟ ଚୟନ କମିଟି ଆଗାମୀ ଇଂଲଣ୍ଡ ସିରିଜ ପାଇଁ ଦଳ ଚୟନ କରିଛି। ଅଧିନାୟକ ବିରାଟ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଏହି ବୈଠକରେ ନିଜ ମତ ରଖିଥିଲେ। ନିକଟରେ ପ୍ରଥମ ସନ୍ତାନର ଜନକ ହୋଇଥିବା କୋହଲି ଗତ ଡିସେମ୍ବରରେ ଅଷ୍ଟ୍ରେଲିଆରୁ ଭାରତ ଫେରି ଆସିଥିଲେ। ବୈଠକରେ ଯୋଗ ଦେଇଥିବା ଅନ୍ୟ ଚୟନକର୍ତ୍ତାମାନେ ହେଲେ ସୁନୀଲ ଜୋଶୀ, ଆବେ କୁରୁଭିଲା, ଓଡ଼ିଶାର ଦେବାଶିଷ ମହାନ୍ତି ଏବଂ ବ୍ରିସ୍‌ବେନ୍‌ରେ ଥିବା ହରବିନ୍ଦର ସିଂ। ଚୟନକର୍ତ୍ତାମାନେ ୪ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ଏହି ଖେଳାଳିମାନେ ଭାରତୀୟ ଦଳ ସହିତ ଯାତ୍ରା କରିବେ ନାହିଁ, ମାତ୍ର ଖେଳାଳି ବଦଳ କ୍ଷେତ୍ରରେ ସେମାନେ ଉପଲବ୍ଧ ହେବେ। ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଝାଡ଼ଖଣ୍ଡ ବାମହାତୀ ସ୍ପିନର ଶାହାବାଜ ନଦୀମ, ଆନ୍ଧ୍ର ଉଇକେଟ କିପର କେ.ଏସ୍‌. ଭରତ, ବେଙ୍ଗଲ ଓପନିଂ ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଈଶ୍ୱରନ ଏବଂ ରାଜସ୍ଥାନ ଲେଗ୍‌ସ୍ପିନର ରାହୁଲ ଚହର। ଏହା ବ୍ୟତୀତ କୋଭିଡ୍‌ ମହାମାରୀ ଗାଇଡ୍‌ଲାଇନ୍‌କୁ ଦୃଷ୍ଟିରେ ରଖି ୫ ନେଟ୍‌ ବୋଲରଙ୍କୁ ମଧ୍ୟ ଚୟନ କରାଯାଇଛି। ସେମାନେ ହେଲେ ଦ୍ରୁତ ବୋଲର ଅଙ୍କିତ ରାଜପୁତ (ଉତ୍ତର ପ୍ରଦେଶ), ଆଭେଶ ଖାଁ (ମଧ୍ୟପ୍ରଦେଶ), ସନ୍ଦୀପ ଓ୍ବାରିୟର(କେରଳ), ସ୍ପିନ ବୋଲିଂ ଅଲରାଉଣ୍ଡର କ୍ରିଷ୍ଣାପ୍ପା ଗୋଥାମ (କର୍ନାଟକ) ଓ ବାମହାତୀ ସ୍ପିନର ସୌରଭ କୁମାର (ଉତ୍ତର ପ୍ରଦେଶ)।

ଭାରତୀୟ ଦଳ
ଓପନର: ରୋହିତ ଶର୍ମା, ଶୁବମନ ଗିଲ୍‌, ମୟଙ୍କ ଅଗ୍ରଓ୍ବାଲ।
ମିଡଲ୍‌ ଅର୍ଡର: ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତ, ରିଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ(ଫିଟ୍‌ ହେଲେ ଖେଳିବେ)।
ଫାଷ୍ଟ ବୋଲର: ଯଶପ୍ରୀତ୍‌ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର।
ସ୍ପିନର: ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ।
ଷ୍ଟାଣ୍ଡବାଇ ଖେଳାଳି: ଶାହାବାଜ ନଦୀମ, କେ.ଏସ୍‌. ଭରତ, ଅଭିମନ୍ୟୁ ଈଶ୍ୱରନ, ରାହୁଲ ଚହର।
ନେଟ୍‌ ବୋଲର: ଅଙ୍କିତ ରାଜପୁତ, ଆଭେଶ ଖାଁ, ସନ୍ଦୀପ ଓ୍ବାରିୟର, କ୍ରିଷ୍ଣାପ୍ପା ଗୋଥାମ, ସୌରଭ କୁମାର।

Share