ଦେଶରେ କରୋନା ଟିକାକରଣ ୬୦ କୋଟି ଟପିଲା, ଏବେବି ପ୍ରତିଦିନ ଆବଶ୍ୟକ ୧ କୋଟି ଟିକା

ନୂଆଦିଲ୍ଲୀ,୨୬ ।୮: କରୋନାକୁ ହରାଇବାରେ ଦେଶ ତା’ର ଉଦ୍ୟମ ଜାରି ରଖିଛି । ଦେଶରେ ଦ୍ରୁତ ଗତିରେ ଚାଲୁଥିବା ଟିକାକରଣ ଏବେ ୬୦ କୋଟିରେ ପହଞ୍ଚିଛି । ସବୁଠାରୁ ବଡ କଥା ହେଲା ମାତ୍ର ୧୯ ଦିନରେ ପ୍ରାୟ ୧୦ କୋଟି ଭ୍ୟାକ୍ସିନ ଦିଆ ସରିଛି । ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ଟୁଇଟ୍ କରି ଜଣାଇଛନ୍ତି । ସେ ଲେଖିଛନ୍ତି ସମସ୍ତଙ୍କ ସ୍ୱାସ୍ଥ୍ୟ, ସମସ୍ତଙ୍କ ସୁରକ୍ଷା ମନ୍ତ୍ର ସହ ଦେଶ କୋଭିଡ ଟିକାକରଣରେ ଆଗେଇ ଚାଲିଛି । ସେ କହିଛନ୍ତି ୧୦ କୋଟି ଟିକା ଲଗାଇବାକୁ ୮୫ ଦିନ , ୨୦ କୋଟି ପାଇଁ ୪୫ ଦିନ, ୩୦ କୋଟି ପାଇଁ ୨୯ ଦିନ, ୪୦ କୋଟି ପାଇଁ ୨୪ ଦିନ, ୫୦ କୋଟି ପାଇଁ ୨୦ ଦିନ ଓ ୬୦ କୋଟି ଟିକାକରଣରେ ପହଞ୍ଚିବାକୁ ୧୯ ଦିନ ସମୟ ଲାଗିଛି । ତେବେ ୨୦୨୧ ଡିସେମ୍ବର ସୁଦ୍ଧା ସମଗ୍ର ଦେଶବାସୀଙ୍କୁ ଟିକା ଦେବା ଲାଗି ପ୍ରତିଦିନ ପ୍ରାୟ ୧ କୋଟି ଟିକାର ଆବଶ୍ୟକତା ରହିଛି ବୋଲି ଜଣାପଡିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଦେଶକୁ ପ୍ରାୟ ୧୨୭.୮ କୋଟି ଭ୍ୟାକ୍ସିନ ଡୋଜ୍ ଆବଶ୍ୟକ ପଡିବ । ତାହେଲେ ଯାଇ ୯୩.୯ କୋଟି ଲୋକଙ୍କୁ ଭ୍ୟାକ୍ସିନର ଦୁଇଟି ଯାକ ଡୋଜ୍ ମିଳିଯାଇ ପାରିବ । ଏଥିରେ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟକୁ ଗୁରୁତ୍ୱ ଦେବା ଦରକାର ବୋଲି କୁହାଯାଉଛି ।

Share