ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର! ମାତ୍ର ୪୫ ପଇସାରେ ମିଳିବ ୧୦ ଲକ୍ଷ ଟଙ୍କାର….

ନୂଆଦିଲ୍ଲୀ,୨୬ା୧୦: ଦୀପାବଳି ଓ ଛଟ୍‌ ପୂଜା ଭଳି ବଡ଼ ପର୍ବପର୍ବାଣୀ ସମୟରେ ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି କେବଳ ଅନ୍‌ଲାଇନ୍‌ରେ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରୁଥିବା ଯାତ୍ରୀ ନୁହନ୍ତି, ରେଳ ଷ୍ଟେସନର ରିଜର୍ଭେସନ୍‌ କାଉଣ୍ଟରରୁ ଟିକେଟ୍‌ କିଣୁଥିବା ଯାତ୍ରୀମାନେ ମଧ୍ୟ ଦୁର୍ଘଟଣା ବୀମା ସୁବିଧା ପାଇପାରିବେ । ଏହି ବ୍ୟବସ୍ଥା ୨୭ ଅକ୍ଟୋବର ୨୦୨୬ରୁ ଲାଗୁ ହେବ । ମାତ୍ର ୪୫ ପଇସା ପ୍ରିମିୟମ୍‌ରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା ମିଳିପାରିବ । ଏହି ପଦକ୍ଷେପ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଆଯାଇଛି।

ଏହି ବୀମା ସୁବିଧା ପାଇବା ପାଇଁ ଯାତ୍ରୀଙ୍କୁ ଟିକେଟ୍‌ ବୁକିଂ ସମୟରେ ନିଜର ସମ୍ମତି ଦେବାକୁ ପଡ଼ିବ । ଏଥିସହ ଏକ ସକ୍ରିୟ ମୋବାଇଲ୍‌ ନମ୍ବର ଦେବା ଆବଶ୍ୟକ । ବୀମା ପ୍ରିମିୟମ୍‌ ଓ ଟିକେଟ୍‌ ଭଡ଼ାର ପେମେଣ୍ଟ୍‌ ଡିଜିଟାଲ୍‌ ମାଧ୍ୟମରେ କରିବାକୁ ହେବ। ଏଥିପାଇଁ UPI, ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ କିମ୍ବା ଅନ୍ୟ ଉପଲବ୍ଧ ଡିଜିଟାଲ୍‌ ପେମେଣ୍ଟ୍‌ ବ୍ୟବସ୍ଥା ବ୍ୟବହାର କରିହେବ । କାଉଣ୍ଟରରେ ସଂଶୋଧିତ ରିଜରଭେସନ ଫର୍ମ ମାଧ୍ୟମରେ ବୀମା ପାଇଁ ସମ୍ମତି ରେକର୍ଡ କରାଯିବ। ପଲିସି ସମ୍ପର୍କିତ ସୂଚନା ପଞ୍ଜୀକୃତ ମୋବାଇଲ୍‌ ନମ୍ବରକୁ ପଠାଯିବ।

ବୀମା ପଲିସିର ନିୟମ ଓ ସର୍ତ୍ତ ଅନୁସାରେ ଯାତ୍ରୀଙ୍କୁ ନିମ୍ନଲିଖିତ ସୁବିଧା ମିଳିପାରିବ

ଦୁର୍ଘଟଣାରେ ମୃତ୍ୟୁ: ୧୦ ଲକ୍ଷ ଟଙ୍କା।

ସ୍ଥାୟୀ ସମ୍ପୂର୍ଣ୍ଣ ଅକ୍ଷମତା: ୧୦ ଲକ୍ଷ ଟଙ୍କା।

ସ୍ଥାୟୀ ଆଂଶିକ ଅକ୍ଷମତା: ସର୍ବାଧିକ ୭.୫ ଲକ୍ଷ ଟଙ୍କା।

ଦୁର୍ଘଟଣାଜନିତ ଆଘାତର ଚିକିତ୍ସା: ସର୍ବାଧିକ ୨ ଲକ୍ଷ ଟଙ୍କା।

ମୃତଦେହ ପରିବହନ: ୧୦ ହଜାର ଟଙ୍କା।

ଏହି ରାଶି ବୀମା ପଲିସିର ସର୍ତ୍ତ, ଦୁର୍ଘଟଣାର ପ୍ରକାର ଓ କ୍ଷତିର ଗମ୍ଭୀରତା ଅନୁସାରେ ଲାଗୁ ହେବ। ତେଣୁ ପ୍ରତ୍ୟେକ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଧରିନେବା ଠିକ୍‌ ନୁହେଁ।  ଏହି ବ୍ୟବସ୍ଥା ଯୋଗ୍ୟ ସଂରକ୍ଷିତ ଟିକେଟ୍‌ଧାରୀ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। କନଫର୍ମ, RAC ଓ ଆଂଶିକ କନଫର୍ମ ଟିକେଟ୍‌ ଥିବା ଯାତ୍ରୀମାନେ ନିୟମ ଅନୁସାରେ ଏହି ସୁବିଧା ନେଇପାରିବେ। ସାଧାରଣ ଅଣସଂରକ୍ଷିତ ଟିକେଟ୍‌ଧାରୀଙ୍କ ପାଇଁ ଏହି ସ୍କିମ୍‌ ଲାଗୁ ହେଉନାହିଁ । ବୀମା ନେବା ପୂର୍ବରୁ ଯାତ୍ରୀମାନେ ଯୋଗ୍ୟତା ଓ ପଲିସିର ସର୍ତ୍ତ ଯାଞ୍ଚ କରିନେବା ଉଚିତ ।

 

Dharitri – Odisha’s No.1 Odia Daily

Share