Categories: Home Leftଖେଳ

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ ହାସଲ କରିଛି। ଏହି ବିଜୟ ପରେ ଭାରତୀୟ ମିକ୍ସଡ୍‌ ଭିନ୍ନକ୍ଷମ ଦଳର ଖେଳାଳି ଓ ଅଫିସିଆଲ୍ସ ଲଡର୍‌ସ ବାଲକୋନିରେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଲୋକପ୍ରିୟ ଶାର୍ଟ ଘୂରାଇ ବିଜୟ ଉତ୍ସବକୁ ଦୋହରାଇଥିଲା।

ମ୍ୟାଚ୍‌ରେ ଅର୍ଜୁନ ଗବେରଙ୍କ ୪୪ ବଲରେ ୬୮ ଓ ଅଧିନାୟକ ମାଜିଦ ମାଗ୍ରେଙ୍କ ୧୯ ବଲରେ ଅପରାଜିତ ୬୩ ରନର ଇନିଂସ ଯୋଗୁ ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୨୦୬ ରନ କରିଥିଲା। ଜବାବରେ ହିଲାଲ ଅହମଦ ଓ୍ବାନ (୪/୨୧) ଓ ଜୟେଶ ପରମାର (୩/୧୪)ଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ୮୮ ରନରେ ଅଲଆଉଟ୍‌ ହୋଇଯାଇଥିଲା।

ଭାରତୀୟ ଭିନ୍ନକ୍ଷମ କ୍ରିକେଟ ପରିଷଦ ପକ୍ଷରୁ ଦଳର ବିଜୟ ଉତ୍ସବର ଭିଡିଓ ଶେୟାର କରାଯାଇଛି, ଯେଉଁଥିରେ ଖେଳାଳି ଓ ଅଫିସିଆଲମାନେ ଲଡର୍‌ସ ବାଲକୋନିରେ ସେମାନଙ୍କ ବ୍ଲେଜର୍ସ କାଢ଼ି ଘୂରାଉଥିବା ଦେଖିବାକୁ ମିଳୁଛି। ଉଲ୍ଲେଖଯୋଗ୍ୟ ଯେ, ସମାନ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷ ୨୦୦୨ ନାଟଓ୍ବେଷ୍ଟ ଟ୍ରଫି ଫାଇନାଲରେ ଭାରତର ବିଜୟ ପରେ ଗାଙ୍ଗୁଲି ଲଡର୍‌ସ ବାଲକୋନିରେ ଶାର୍ଟ ଘୂରାଇ ବିଜୟ ଉତ୍ସବ ପାଳିଥିଲେ।

Share