ଟୁଇଟର ସିଇଓ ହେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,୨୯।୧୧: ଟୁଇଟରର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ ଡୋରସି ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ କମ୍ପାନୀର ଦାୟିତ୍ୱ ନେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ବାଲ। ସେ ଏବେ ଟୁଇଟରର ଟେକ୍‌ନୋଲୋଜି ମୁଖ୍ୟ ପଦରେ ଅଛନ୍ତି।

ଆସନ୍ତା ବର୍ଷ ପର୍ଯ୍ୟନ୍ତ ଡୋରସି ସୋସିଆଲ ମିଡିଆ କମ୍ପାନୀର ବୋର୍ଡ ମେମ୍ବର ହୋଇ ରହିବେ। ୨୦୨୨ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ ବୋଲି ଟୁଇଟର୍‌ ପକ୍ଷରୁ ଏକ ବିବୃତି ଜରିଆରେ ସୋମବାର କୁହାଯାଇଛି।

”ମୁଁ ଟୁଇଟର ଛାଡ଼ିବାକୁ ନିଷ୍ପତ୍ତି ନେଇଛି। କାରଣ ମୋତେ ଲାଗୁଛି, କମ୍ପାନୀ ଏବେ ପ୍ରତିଷ୍ଠାତାଙ୍କ ଠାରୁ ଆଗକୁ ଯିବା ପାଇଁ ପ୍ରସ୍ତୁତ। ମୋ ପରେ ଟୁଇଟର ମୁଖ୍ୟ ପଦ ସମ୍ଭାଳିବାକୁ ଯାଉଥିବା ପରାଗଙ୍କ ଉପରେ ଗଭୀର ବିଶ୍ୱାସ ଅଛି। ଗତ ୧୦ ଧରି ସେ କମ୍ପାନୀ ପାଇଁ କାର୍ଯ୍ୟ କରି ଆସିଛନ୍ତି। ତାଙ୍କ କାର୍ଯ୍ୟଦକ୍ଷତା ପ୍ରତି ମୁଁ କୃତଜ୍ଞ। ଏହା ତାଙ୍କର ନେତୃତ୍ୱ ନେବାର ସମୟ“ ବୋଲି ଡୋରସି ଟୁଇଟ୍‌ କରି ଲେଖିଛନ୍ତି।