ନୂଆଦିଲ୍ଲୀ, ୪ା୧୧: ୪୮ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏକ ଦ୍ରୁତ ଅପରେଶନରେ ଭାରତୀୟ ନୌସେନା ସୋମାଲିଆ ଉପକୂଳରୁ ୨୦ ଜଣ ଇରାନୀୟ କର୍ମଚାରୀଙ୍କ ସହ ଏକ ମାଛଧରା ଜାହାଜକୁ ଉଦ୍ଧାର କରିଛି, ଯାହାକୁ କିଛି ସପ୍ତାହ ପୂର୍ବେ ଜଳଦସ୍ୟୁମାନେ ଅପହରଣ କରିନେଇଥିଲେ। ଗତ ମାସ ଆରମ୍ଭରେ ‘ଆଜିନି’ ନାମକ ଏହି ଜାହାଜକୁ ଏକ ସଶସ୍ତ୍ର ଜଳଦସ୍ୟୁ ଦଳ ଅପହରଣ କରିଥିଲେ ବୋଲି ମଙ୍ଗଳବାର ନୌସେନା ପକ୍ଷରୁ କୁହାଯାଇଛି। ଏହି ଅପରେଶନର ସଫଳ ସମାପ୍ତି ଫଳରେ ସମସ୍ତ ୨୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି।
ଜାହାଜର ୨୦ ଜଣ ଇରାନୀୟ ନାବିକଙ୍କୁ ସଫଳତାର ସହ ଉଦ୍ଧାର କରିଥିବାରୁ ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସ ଭାରତ ସରକାର, ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନାକୁ ନିଜର ଆନ୍ତରିକ କୃତଜ୍ଞତା ଜଣାଇଛି। ଭାରତୀୟ ନୌସେନା କହିଛି ଯେ, ଏହି ଅପହରଣ ସାମୁଦ୍ରିକ ସୁରକ୍ଷା ପ୍ରତି ଏକ ବଡ଼ ବିପଦ ଥିଲା, କାରଣ ଏହି ଜାହାଜକୁ ଜଳଦସ୍ୟୁମାନେ ସେହି ଅଞ୍ଚଳରେ ଅନ୍ୟ ବାଣିଜି୍ୟକ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ଏକ ‘ମଦର ସିପ’(ମୁଖ୍ୟ ଜାହାଜ) ଭାବେ ବ୍ୟବହାର କରିବାର ସମ୍ଭାବନା ଥିଲା। ଏକ ସୋସିଆଲ ମିଡିଆ ପୋଷ୍ଟରେ ଇରାନ ଦୂତାବାସ କହିଛି, ଏହି ମାନବୀୟ ଅପରେଶନ ଇରାନ ଏବଂ ଭାରତ ମଧ୍ୟରେ ବନ୍ଧୁତ୍ୱ, ଏକତା ଏବଂ ସହଯୋଗର ଭାବନାର ଏକ ପ୍ରମାଣ।