ସିଡ୍‌ନୀରେ ଭାରତୀୟ ନାଗରିକଙ୍କୁ ଗୁଳିକରି ହତ୍ୟା

ସିଡନୀ,୧ ।୩: ଅଷ୍ଟ୍ରେଲିଆର ସିଡନୀରେ ସେଠାକାର ପୋଲିସ ଜଣେ ଭାରତୀୟ ନାଗରିକଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ସିଡନୀର ଏକ ରେଲୱେ ଷ୍ଟେଶନରେ ହୋଇଛି । ଏଠାରେ ଭାରତୀୟ ନାଗରିକଙ୍କ ଦ୍ୱାରା ସଫେଇକର୍ମୀଙ୍କୁ ଛୁରାମାଡ ଓ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କୁ ଧମକାଇବା ପରେ ଅଷ୍ଟ୍ରେଲିଆ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଏପଟେ ଏହି ଘଟଣାକୁ ନେଇ ଭାରତର ମହାବାଣିଜ୍ୟିୟ ଦୂତାବାସ ଏ ସମ୍ପର୍କରେ ଅଷ୍ଟ୍ରେଲିଆକୁ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛି ।
ମୃତ ଭାରତୀୟ ଜଣକ ତାମିଲନାଡୁର ୩୨ ବର୍ଷୀୟ ମହମ୍ମଦ ରହମତୁଲ୍ଲା ବୋଲି ଜଣାପଡିଛି । ସିଡନୀରେ ଥିବା ଭାରତୀୟ ମହାବାଣିଜ୍ୟିକ ଦୂତାବାସ ତାଙ୍କୁ ଚିହ୍ନଟ କରିଛି । ସିଡନୀ ମର୍ଣ୍ଣିଂ ହେରାଲ୍ଡ ଖବରକାଗଜ ପୋଲିସ ଅଧିକାରୀଙ୍କ ସୂଚନା ଆଧାରରେ କହିଛି ଯେ ରହମତୁଲ୍ଲା ମଙ୍ଗଳବାର ସିଡନୀର ଅର୍ବାନ ଟ୍ରେନ୍ ଷ୍ଟେଶନରେ ୨୮ ବର୍ଷୀୟ ସଫେଇ କର୍ମୀଙ୍କୁ ଆକ୍ରମଣ କରିଥିଲେ । ଏହାପରେ ସେ ଦୁଇଜଣ ପୋଲିସ ଅଧିକାରୀଙ୍କୁ ବି ଆକ୍ରମଣ କରିଥିଲେ । ଏହି ସମୟରେ ଜଣେ ପୋଲିସ ଅଧିକାରୀ ୩ ରାଉଣ୍ଡ ଗୁଳି କରିଥିଲେ । ସେଥିମଧ୍ୟରୁ ୨ଟି ଗୁଳି ତାଙ୍କ ଛାତିରେ ବାଜିଥିଲା । ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Share