ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ,୨୧ ।୧୨: ବ୍ରିଟେନରେ ସାମ୍ନାକୁ ଆସିଥିବା କରୋନା ଭାଇରସର ନୂଆ ରୂପକୁ ଦେଖି ଭାରତ ସରକାର ସତର୍କ ହୋଇଯାଇଛନ୍ତି । ବ୍ରିଟେନରୁ ଭାରତ ଆସିବାକୁ ଥିବା ସମସ୍ତ ବିମାନ ଚଳାଚଳକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏହି ନୂଆ ଭାଇରସକୁ ଦେଖି ବ୍ରିଟେନର ରାଜଧାନୀ ଲଣ୍ଡନ ସମେତ କେତେକ ସରରରେ ପୁଣିଥରେ ଲକଡାଉନ ଘୋଷଣା କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ବ୍ରିଟେନରେ କରୋନା ସ୍ଥିତିକୁ ଦେଖି ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୨୨, ୧୧ଟା ୫୯ରୁ ଡିସେମ୍ବର ୩୧, ୧୧ଟା ୫୯ ପର୍ଯ୍ୟନ୍ତ ବ୍ରିଟେନରୁ କୌଣସି ବିମାନ ଭାରତରେ ପ୍ରବେଶ କରିପାରିବ ନାହିଁ । ତେବେ ୨୨ ଡିସେମ୍ବର ରାତି ପୂର୍ବରୁ ଯେଉଁମାନେ ବ୍ରିଟେନରୁ ଆସି ଭାରତରେ ପହଞ୍ଚିବେ ବିମାନ ବନ୍ଦରରେ ସେମାନଙ୍କର ଆର୍‌ଟିପିସିଆର୍‌୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସରକାର ସଚେତନ ଅଛନ୍ତି ତେଣୁ ଭୟ କରିବାର କୌଣସି କାରଣ ନାହିଁ । ସୂଚନାଯୋଗ୍ୟ, ବ୍ରିଟେନରେ କରୋନାର ନୂଆ ରୂପ ଦେଖିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିମାନ ସେବା ବନ୍ଦ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ତେବେ କେବଳ ଭାରତ ନୁହେଁ ଆଉ କିଛି ଦେଶ ମଧ୍ୟ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ କରି ଦେଇଥିବା ଜଣାପଡିଛି ।

Share